ପ୍ରକୃତିର ଅମୂଲ୍ୟ ଉପହାର "ଚିଲିକା" ଧ୍ଵଂସ ମୁଖରେ


ମରାଳ-ମାଳିନୀ-ନୀଳାମ୍ବୁ ଚିଲିକା ପ୍ରକୃତିର ଅନନ୍ୟ ଉପହାର । ପୃଥିବୀର ସର୍ବ ବୃହତ୍ତମ କ୍ଷାରୀୟ ହ୍ରଦ । ଏହାର ଅପୂର୍ବ ଜୈବ ବିଭିନ୍ନତା ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରିଥାଏ । କିନ୍ତୁ ସାମ୍ପ୍ରତିକ ସମୟରେ ଏହାର ସୁରକ୍ଷା ନିତାନ୍ତ ଜରୁରୀ ହୋଇପଡିଛି । ପ୍ରାଣୀଜ ପୁଷ୍ଟିସାର ଖାଦ୍ୟର ମୋହ ତଥା ଅନ୍ୟାନ୍ୟ ମନୁଷ୍ୟକୃତ ଓ ପ୍ରାକୃତିକ କାରଣ ଗୁଡିକ ଧୀରେ ଧୀରେ ଚିଲିକାକୁ ବିକୃତ କରିବାରେ ଲାଗିଛି । ଚିଲିକା ପ୍ରତି ସୃଷ୍ଟି ହୋଇସାରିଥିବା ବିଭିନ୍ନ ସମସ୍ୟା ଗୁଡିକ ଉପରେ ଜନସାଧାରଣ ଓ ସରକାର ଉଭୟ ଯଦି ଆଜିଠାରୁ ଯତ୍ନବାନ ନହେବେ, ତେବେ ପ୍ରକୃତିର ଏହି ଅମୂଲ୍ୟ ଉପହାର ଯେ ଦିନେ କାଳର କରାଳ ଗର୍ଭରେ ଳୀନ ହୋଇଯିବ ଏହାକୁ ଅସ୍ଵୀକାର କରିପାରିବା ନହିଁ । ଚିଲିକାକୁ ଧ୍ଵଂସ ମୁଖକୁ ଟାଣି ନେଉଥିବା ବିଭିନ୍ନ କାରଣ ଗୁଡିକ ହେଉଛି :  

  • ବିଭିନ୍ନ ନଦୀନାଳରୁ ଆସୁଥିବା ପାଣି ଓ ପଟୁ ଜମା ହେବା ଯୋଗୁଁ ଚିଲିକା ଧୀରେ ଧୀରେ ପୋତି ହେବାରେ ଲାଗିଛି । ଏହା ଏକ ପ୍ରାକୃତିକ ସମସ୍ୟା ଅଟେ ।

  • ଲବଣ ମାତ୍ରାରେ କ୍ରମାଗତ ପରିବର୍ତ୍ତନ ଓ ମଧୁରଜଳ, ଅନାବନା ଗଛ ଜଳୀୟ ପ୍ରାଣୀ ସଂପଦକୁ ବେଶ ପ୍ରଭାବିତ କରିବାରେ ଲାଗିଛି । 

  • ଚିଲିକା ସନ୍ନିକଟ ଅଧିବାସୀଗଣ ନିଜର ଜୀବିକା ନିମନ୍ତେ ଚିଲିକା ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ । ସେମାନେ ଅବିରତ ଚିଲିକା ଗର୍ଭରୁ ମାଛ, ଚିଙ୍ଗୁଡ଼ି ଓ କଙ୍କଡ଼ା ଆଦି ମୂଲ୍ୟବାନ ପ୍ରାଣୀମାନଙ୍କୁ ବିଭିନ୍ନ ଚିରାଚରିତ କୌଶଳ ମାଧ୍ୟମରେ ଧରି ବିକ୍ରୟକରି ପେଟ ପୋଷିଥାନ୍ତି । ଫଳରେ ଏସବୁ ପ୍ରାଣୀଙ୍କ ସଂଖ୍ୟା ହ୍ରାସ ହେବା ସହ ସେମାନଙ୍କ ଅଭିବୃଦ୍ଧି ବେଶ ବାଧାପ୍ରାପ୍ତ ହେବାରେ ଲାଗିଛି । ଏପରି ଅତ୍ୟଧିକ ଜୈବ ସଂପଦର ସଂଗ୍ରହ ଜୈବବିଭିନ୍ନତାରେ ବ୍ୟାଘାତ ସୃଷ୍ଟି କରିବାର ଏକ ମୁଖ୍ୟ କାରଣ ।

  • ପର୍ଯ୍ୟଟନ କ୍ଷେତ୍ର ଭାବରେ ସୁନାମ ଅର୍ଜନ କରିଥିବା ଚିଲିକାକୁ ନିରନ୍ତର ଭାବରେ ପର୍ଯ୍ୟଟକ ମାନଙ୍କ ଆଗମନ, ଭ୍ରମଣ ଓ ଦର୍ଶନ ଆଦି ଡଲଫିନ ପରି ପ୍ରାଣୀମାନଙ୍କ ସୁରକ୍ଷା ପ୍ରତି ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟିକରିଛି । ୨୦୧୦ ମସିହାରେ ଡଲଫିନ ଦେଖିବାକୁ ନମିଳିବାରୁ ସମସ୍ତଙ୍କ ମନରେ ଏହି ସନ୍ଦେହ ଦେଖାଦେଇଛି ।

  • ପର୍ଯ୍ୟଟକଙ୍କ ଯାତ୍ରା ପାଇଁ ଯନ୍ତ୍ରଚାଳିତ ଡଙ୍ଗ।ର ବ୍ୟବହାର, ମତ୍ସ୍ୟ ସଂଗ୍ରହ ତଥା ପକ୍ଷୀ ଓ ଜଳଜୀବମାନଙ୍କ ଚଳପ୍ରଚଳରେ ବେଶ ବାଧା ସୃଷ୍ଟିକରିବା ସ୍ୱାଭାବିକ । ଏହା ଉପରେ ସେପରି କୌଣସି କଟକଣା ବା ନିୟନ୍ତ୍ରଣ ପରିଲକ୍ଷିତ ହେଉ ନଥିବା ଭଳି ମନେହୁଏ ।

  • ମୋଟର ଲଞ୍ଚରେ ବ୍ୟବହୃତ ଡିଜେଲ ପରି ତୈଳର ବ୍ୟବହାର ଜଳ ପ୍ରଦୂଷଣର ଅନ୍ୟ ଏକ କାରଣ । ଫଳତଃ ଜଳୀୟ ପ୍ରାଣୀଙ୍କ ପରିବେଶ ଓ ଖାଦ୍ୟ ବେଶ ପ୍ରଦୂଷିତ ଓ କଳୁଷିତ ହେବାରେ ଲାଗିଛି ।

  • ପର୍ଯ୍ୟଟକଙ୍କ ଅବିରତ ଯାତ୍ରା ଓ ଭ୍ରମଣ ଚିଲିକା କୂଳ ଓ ଜଳଭାଗ ପ୍ରଦୂଷଣର ଏକ କାରଣ ବୋଲି କୁହାଯାଇପାରେ । ବିଶେଷ କରି ପଲିଥିନ, ପ୍ଲାଷ୍ଟିକ ଓ ସେହିପରି ପ୍ରଦୂଷଣକାରୀ ପଦାର୍ଥର ବ୍ୟବହାର ଉପରେ ପ୍ରାୟତଃ କଟକଣା ନାହିଁ କହିଲେ ଚଳେ । 

ଉପରୋକ୍ତ କାରଣ ଗୁଡିକ ଉପରେ ସରକାର ଓ ଜନସାଧାରଣ ଉଭୟ ଧ୍ୟାନ ଦେବା ଉଚିତ । ନଚେତ ଓଡିଶାର ଏହି ଅମୂଲ୍ୟ ସମ୍ପଦ ଦିନେ ଧ୍ଵଂସ ହୋଇଯିବ ।

Share:  

Comments