ଅଲିଭା ଅଭୁଲା ତା ସ୍ମୃତି ସୁଷମା
ମନ୍ଦ ମନ୍ଦ କହେ କଥା,
ମହୁଠାରୁ ମିଠା ଜହ୍ନଠୁ ଶୀତଳ
ସେହି ମା'ର ମମତା।
ଯେଉଁ କୋଳ ଦିଏ ସରଗର ସୁଖ
କି ଆନନ୍ଦ ମା କୋଳ,
ନିଦାଘ ରଶ୍ମୀଟା ସନ୍ତାନେ ବାଜିଲେ
ତା ହୃଦୁ ବହଇ ଝାଳ।
ମା' କାଖରେ ଥିଲେ ଶିଶୁ ଭାବୁଥାଇ
ଚଢୁଛି ସ୍ୱର୍ଗ ନିଶୁଣୀ,
ମା' ମିଠା ସ୍ପର୍ଶ ମୃଦ୍ୟୁ ହସ ଭରା
ରଚେ ଅମୃତ କାହାଣୀ।
ରୋଗବେଳେ ଯେବେ ତା ହାତ ବାଜଇ
ବ୍ୟାଧି ହୁଏ ଉପଶମ,
ତା ପାଶେ ଥିଲେ ତା ଅମୃତ ସନ୍ତାନ
ଡରଇ ଡାହାଣୀ ଯମ।
ତା ଓଠର ହସ ସୁନ୍ଦର ପସରା
ଭାଷା ସାହିତ୍ୟରେ ଶ୍ରେଷ୍ଠ,
ମିଷ୍ଟ ଭାଷା ଦେଇ ସୁସଂସ୍କାର ବାଣ୍ଟି
କରେ ମହୀଧାମେ ଜ୍ୟେଷ୍ଠ।
କି ଯାଦୁ କେଜାଣି ତା ଆଖିରେ ଅଛି
(ସେ)ମୁହଁ ପଢି ଜାଣେ ଦୁଃଖ,
ନିଜେ ଜଳି ଜଳି ହସାଏ ଶିଶୁଙ୍କୁ
ମର୍ତ୍ତ୍ୟେ ଜୀଇଥିବା ଯାକ।
ସନ୍ତାନ ଝୁଣ୍ଟିଲେ କ୍ଷତାକ୍ତ ହୁଏ ସେ
ହୃଦୟୁ ଝରେ ରୁଧିର,
ତା କାନ୍ଦ ଯନ୍ତ୍ରଣା ସହିପାରେ ନାହିଁ
ଅଶ୍ରୁ ବୁହେ ଧାର ଧାର।
ଦିଅଁ ଦେବତାଙ୍କୁ କରୁଥାଏ ପୂଜା
ତା ଧନର ଶୁଭ ପାଇଁ,
ବ୍ରତ ଉପବାସ କରି ସ୍ବପ୍ନ ଦେଖେ
ଭବିଷ୍ୟ ଗଢିବା ପାଇଁ।
ସେହି ଆମ ପୂଜା,ସେହି ଆରଧାନା
ସେହି ଆମ ଇଷ୍ଟ ଦେବୀ,
ଅବର୍ଣ୍ଣନୀୟ ସେ ମା'ର ମମତା
କିସ ବା ବର୍ଣ୍ଣିବ କବି?
ମା' କୋଳ,କାଖ ପାଇବା ପାଇଁକି
ଭଗବାନ ମର୍ତ୍ତ୍ୟେ ଜନ୍ମ,
ସେହି ସ୍ଥାନ ଅଟେ କାଶୀ ବୃନ୍ଦାବନ
ସେହି ବ୍ରହ୍ମ,କର୍ମ,ଧର୍ମ।
ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର
0 Comments
You can write now your valuable comments here. Off-topic comments may be removed or deleted without prior notice.