Ad

header ads

ଯୋଗ : ଜୀବନର ମହାତୀର୍ଥ - ହାସ୍ୟମୟୀ ରାଜ୍



ଯୋଗ -
ନିରାଶା ଭିତରେ
ଦିଏ ଜୀଇଁବାର ଆଶା
ଭରିଦିଏ ଶରୀରରେ
ଜୀବନୀୟ ସତ୍ତା,
ପୁଣି ଦିଏ ଜୀବନକୁ କିଛି ବାଟ
ଆଗେଇ ନେବାର ଆସ୍ଥା ।
ଯୋଗ -
ବାତ, ପିତ, କଫକୁ ସନ୍ତୁଳିତ କରି
ଦୃଢ଼ କରେ ଜୀବନର ଭିତ୍ତି,
ଦିଏ ପୁଣି ଚିତ୍ତ ବୃତ୍ତି ନିରୋଧର
ଦିବ୍ୟ ଅନୁଭୂତି ।
ଯୋଗ -
ଚିକିତ୍ସା ବିଜ୍ଞାନରେ ତୋଳେ
ନୂତନ ବିପ୍ଳବର ସ୍ବର
ଦିଏ ନିରାମୟ ଜୀବନ ସନ୍ଦେଶ,
କାମ, କ୍ରୋଧ, ମୋହ, ଲୋଭର ଅସ୍ଥିତ୍ୱକୁ
ଧରାଶାୟୀ କରି
ଭରେ ଜ୍ୟୋତିର୍ମୟ ବେଶ ।
ଯୋଗ -
ଜାଳିଦେଇ ଇନ୍ଦ୍ରିୟର
ଅବାଞ୍ଛିତ କାମନା
ଅନ୍ତହୀନ ବ୍ୟର୍ଥ ଚେତନା
ଖୋଲିଦିଏ ଦିବ୍ୟଜ୍ଞାନ,
ଜୀବନକୁ କରେ ମହାମାନ୍ୟ ।
ଯୋଗ -
ଜୀବନ ଧନର ଜାଗ୍ରତ ପ୍ରହରୀ
ଅଟେ ମହାଶକ୍ତି,
ସତ୍ବ, ରଜ, ତମ ତ୍ରୀଗୁଣ
ସ୍ଵଭାବକୁ ଜୟକରି
କହିଦିଏ ଶରୀର ହିଁ
ମୋକ୍ଷ ଲାଭର ଶେଷ ଦ୍ବାର
ସଂସାରରେ ଥାଇ ବି
ଦେଇପାରେ ବନ୍ଧନରୁ ମୁକ୍ତି ।
ଯୋଗ-
ଅତ୍ମା ସହ ପରମାତ୍ମାର  ସଂପର୍କକୁ
କରେ ନିବିଡରୁ ଆହୁରି ନିବିଡ
କାନେ କାନେ କହିଦିଏ
ଶୁଦ୍ଧ ପୂତ ଶରୀର ହିଁ
ଆତ୍ମାକୁ କରେ ପରିବ୍ୟାପ୍ତ,
ଆଶା ସ୍ଫୁର୍ତି ସବୁକିଛି ଭରିଦେଇ
ଦିଏ ଏକ ସୁନ୍ଦର, ସୁଢଳ ସୁଦୀର୍ଘ ଜୀବନ
ଜନ୍ମରୁ ତା ସହ ହୁଏ ଯିଏ ଯୋଗଯୁକ୍ତ ।
ଯୋଗ -
ଚିହ୍ନେଇଦିଏ "ମୁଁ କିଏ",
"ମୋର ଜନ୍ମ ରହସ୍ଯ"
ଆସକ୍ତିର ସାଞ୍ଜୁ ଭେଦକରି
ଦିଏ ବ୍ରହ୍ମଜ୍ଞାନକୁ ପ୍ରବେଶ,
ଯୋଗ ଜୀବନର ମହାତୀର୍ଥ
ଦେଇପାରେ ନିର୍ବାଣର ସ୍ପର୍ଶ ।।
 
Writer's Details: ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ)
ଓରାଳି, ହାଟଡିହି, କେନ୍ଦୁଝର ।
Content Category:
Submission Date: Jun 11, 2019

Post a Comment

0 Comments