ଗୋଟିଏ ଡାଳ ରେ ଦିନେ ବସିଥିଲେ
କପୋତ କପୋତୀ ପକ୍ଷୀ
ଖୁସି ଲଗନ ରେ ମଧୁର ବେଳା ରେ
ବାଣ୍ଟୁଥିଲେ ପ୍ରେମ ପ୍ରୀତି l
କପୋତ କହୁଛି କପୋତୀ କାନରେ
ଜାଣିଛୁ କିଲୋ ସଜନୀ
ତତେ ଛାଡ଼ି ଦେଇ ଗୋଟିଏ ମୁହୂର୍ତ୍ତ
କାହିଁ ମୁଁ ରହି ପାରେନି l
କପୋତୀ କହୁଛି ଲାଜେଇ ଲାଜେଇ
ହେଲ ତମେ ଅଳସୁଆ
ମୋ ବାହାନା ରେ କର୍ମକୁଢ଼ି ହେଲ
ନ ଧର ଶ୍ରମ ର ନାଆଁ l
ଥଣ୍ଟେ ଠାର ଦେଇ କପୋତୀ କହୁଛି
ଦେଖ ମୋର ପ୍ରାଣଧନ
ଦେଖି ପାରୁଛ କି ରାସ୍ତାରେ ଯାଉଛି
ଚାଲି ଚାଲି ଯେଉଁ ଜନ l
ସେ ଯେ ସାଂସାରିକ କର୍ମରେ ଜଡ଼ିତ
ଶ୍ରମିକ ଯେ ତାର ନାଁ
ନିତି ପ୍ରତିଦିନ ଶ୍ରମ ସମ୍ପାଦିଣ
ଗଢେ ତା ଟିକି ଦୁନିଆ l
ପୂରୁବ ଆକାଶେ ଅରୁଣ ପଛକେ
ବିଳମ୍ବେ ହୁଅନ୍ତୁ ଉଭା
କିନ୍ତୁ ଶ୍ରମଜୀବି ଶ୍ରମରେ ତତ୍ପର
କର୍ମେ ତାର ମନ ବନ୍ଧା l
ସଂସାର ଜଂଜାଳ ତେଲ ଲୁଣ ଭାର
କାନ୍ଧରେ କାନ୍ଧେଇ ସିଏ
ଶ୍ରମ ଜଗତ ରେ ସେ ଯେ ବିଶ୍ୱକର୍ମା
ସୁଖେ ଶ୍ରମ କରୁ ଥାଏ l
ଖରା ବର୍ଷା ଶୀତ କାକର କୁହୁଡ଼ି
କାହା ବାଧା ମାନେ ନାହିଁ
ଶ୍ରମ ପ୍ରତି ତାର ସତ୍ୟନିଷ୍ଠତା କୁ
ବର୍ଣ୍ଣିଲେ ସରିବ କାହିଁ l
ଦୁଃଖ ଲାଗେ ଯେବେ ଶ୍ରମିକଟି ତାର
ଶ୍ରମ ର ମୂଲ୍ୟ ନ ପାଇ
ପୁଞ୍ଜିପତି କରେ ଶଠତା ଲୁଣ୍ଠନ
କ୍ରୁରତା ଚାବୁକ ଦେଇ l
ପୁଞ୍ଜି ମାଲିକ ଙ୍କ ଦମନ ଲୀଳା ରେ
ହୋଇଣ ଅତିଷ୍ଠ କ୍ଷୁବ୍ଧ
ନିଜ ପାଇଁ ନିଜେ ନ୍ୟାୟ ପ୍ରାପ୍ତି ଆଳେ
ଶୁଭିଲା ବିଦ୍ରୋହ ନାଦ l
ଶ୍ରମିକ ଭାଇ ର ଶକତି ଆଗରେ
ଆଣ୍ଠୁମାଡ଼ି ପୁଞ୍ଜିପତି
ଦମନ ଲୀଳା ର ଯୁଗ ଶେଷ ହେଲା
ନ୍ୟାୟ ପାଏ ଶକ୍ତିପତି l
ଶ୍ରମିକ ଭାଇର ଶ୍ରମ ର ମର୍ଯ୍ୟାଦା
କିଏସେ ଫେରାଇ ଦେବ
ଶ୍ରମ ର ବିନ୍ଧାଣୀ ସେ ଯେ ବିଶ୍ବବନ୍ଧୁ
ଧାନ୍ୟତାର ରକ୍ତ ସ୍ବେଦ l
କପୋତୀ କହୁଛି ଶୁଣିଲକି ସାଥି
ଶ୍ରମିକ ଭାଇ ର ରାୟ
ଜଗତେ ମହାନ ସେଇ ଦିବ୍ୟଜନ
ଶ୍ରମ ରେ ଯାହାର ଲୟ l
ସୌମ୍ୟ ରଞ୍ଜନ ଦାଶ
ବଲାଙ୍ଗୀର
0 Comments
You can write now your valuable comments here. Off-topic comments may be removed or deleted without prior notice.