
ବହୁ ଦିନ ପରେ ଆସିଛ
ମନ ହୁଏ ଉଚ୍ଛନ୍ନ ନାନା ଭୂଷଣ ସଜାଇଛି
ଆଣି ପିତବସନ ।
ବନରୁ ଆଣିଛି କୁସୁମ
ସୁବାସ ଅଛି ଭରି
ଖୁସିରେ ମନ ମୋ ଅଧୀର
ଲୋତକ ଯାଏ ଝରି ।
ରମ୍ଭା ବୃକ୍ଷ ଆଣି ଯତନେ
ସାଥିରେ ନାରୀକେଳ
ପୂର୍ଣକୁମ୍ଭ ବାଢି ରଖିଛି
କରିଛି ପୁଷ୍ପ ମାଳ ।
ଗୋମୟରେ ଲିପି ଅଗଣା
ପିନ୍ଧି ଝିନ ବସନ
ପ୍ରତୀକ୍ଷାରେ ଥିଲି ତୁମର
ଆହେ ମୋ ଆର୍ତ୍ତତ୍ରାଣ ।
ଆଣିଛି ମୁଁ ବାସ ଚନ୍ଦନ
ସାଥେ ଶୀତଳ ଜଳ
ସାରି ଦିଆ ସ୍ନାନ ତୁମର
ଉଛର ହୁଏ ବେଳ ।
ମିଠା ମିଠା କୋଳି ଆଣିଛି
ନାନାଦି ପକ୍ବ ଫଳ
ଲଭିବ ଭକ୍ଷଣେ ସନ୍ତୋଷ
ଆହେ ଭକ୍ତ ବତ୍ସଳ ।
ଅନେକ ଦିନର ପ୍ରତୀକ୍ଷା
ଆଜି ହୋଇଲା ଶେଷ
ମାୟା ମୋହ ସବୁ ତୁଟିଲା
ନାହିଁ ମୋ ଅବଶୋଷ ।
Writer's Details: ଟୁକୁନା ସାହୁ । ସାନ୍ତରା ପଲ୍ଲୀ । ଗଞ୍ଜାମ
Content Category:
Submission Date: May 12, 2019
0 Comments
You can write now your valuable comments here. Off-topic comments may be removed or deleted without prior notice.