
ବଳଦ ମୋହର ବନ୍ଧୁ
ଭାଗ୍ୟକୁ ଆଦରି ବଞ୍ଚୁଛି ଜୀବନ
ଦିନ ଯାଏ କାନ୍ଦୁ କାନ୍ଦୁ ।
ଖରା ବରଷାକୁ ନଥାଏ ଖାତର
ଦିମୁଠା ପଖାଳ ଖାଇ
ବିଲରେ ଖଟୁଛି ସାରା ଦିନ ମୁହିଁ
ଜଗତ ମଙ୍ଗଳ ପାଇଁ ।
ସଭିଙ୍କ ମୁଖରେ ଆହାର ଦେଉଛି
ଯାନି ଯାତ୍ରା ଭୁଲି ଯାଇ
ଭଲ ଲୁଗା ଖଣ୍ଡେ କିଣି ପାରୁନାହିଁ
ଋଣ ପରିଶୋଧ ପାଇଁ ।
ସାତ ସିଆଁ ସେଇ ଖଦଡ଼ ଚଦର
ମୁଣ୍ଡରେ ପଗଡ଼ି କରି
ଖୁସିରେ ଗାଉଛି ପ୍ରଭୁଙ୍କ ଭଜନ
ଚାଷ କରେ ଥିରି ଥିରି ।
ମୋହର ଘରଣୀ ହୃଦୟର ରାଣୀ
ବୁଝେ ମୋର ମନ ବ୍ୟଥା
ଦୁଃଖଭରା ମୋର ଜୀବନ କାହାଣୀ
ଶୁଣିଲେ ଘୁରିବ ମଥା ।
ବୃଦ୍ଧ ପିତା ତୁଣ୍ଡେ ଦେବାକୁ ଔଷଧ
ପାଖରେ ନଥାଏ ଧନ
ପୁତ୍ର କନ୍ୟା ମୋର ରୋଦନ କରନ୍ତି
ଦିଏନି କେବେ ମୁଁ ଧ୍ୟାନ ।
କହୁଛି ଗର୍ବରେ ଏଇ ସମାଜରେ
ସଭିଙ୍କୁ ଆହାର ଦେଇ
କଷ୍ଟମୟ ମୋର ଜୀବନ କାହାଣୀ
କୃଷକ ନାମକୁ ବହୀ ।
ଟୁକୁନା ସାହୁ
ସାନ୍ତରା ପଲ୍ଲୀ, ଗଞ୍ଜାମ
0 Comments
You can write now your valuable comments here. Off-topic comments may be removed or deleted without prior notice.