
ତୁହି ପରା ମା' ମୋ ଜୀବନ
ଗଳା ସଙ୍ଖାଳି ଧନ
ବୁଝାଇ କହୁଛି ତୋତେ ଲୋ
ପଢ଼ିବୁ ଦେଇ ମନ ୲୲
ପଢିଲିନି ବୋଲି ମୁହିଁ ଲୋ
ହେଲି ଏତିକି ସରି
ଅଧାରୁ ଛାଡ଼ିଲି ବସ୍ତାନୀ
ମନେ ହୁଏ ମୁଁ ଘାରି ୲୲
ମନ୍ଦ ଭାଗ୍ୟ ମୋର ଭୋଗୁଛି
ମନ୍ଦ କରମ ଆଜି
କୁଲା ବାଉଁଶିଆ ବୁଣେ ମୁଁ
ଭାଗ୍ୟ ସାଥିରେ ଜୁଝି ୲୲
କେତେ ଆଶା ଥିଲା ମନେ ମୋ'
ପାଠ ପଢିବି ମୁହିଁ
ସ୍ଵପ୍ନ ମୋର ସତ ନୋହିଲା
ଗଲା ସ୍ଵପ୍ନରେ ରହି ୲୲
ତୋତେ ନେଇ ମା' ମନେ ମୁଁ
ସ୍ଵପ୍ନ ଦେଖିଛି କେତେ
ମୋ' ସ୍ଵପ୍ନ କି ସତ କରିବୁ
କଥା ଦେ' ତୁ ମୋତେ ୲୲
ସୁନେଲି ଭବିଷ୍ୟ ଗଢ଼ିବୁ
ଯଦି ପଢ଼ିବୁ ପାଠ
ଗୁରୁଜନ କଥା ମାନିଲେ
ହେବୁ ତୁ ଭଲ ଚାଟ ୲୲
ପଢାଇବି ତୋତେ ମୁହିଁ ଲୋ
ପାଠ କରି ସରଳ
ବୁଝି ନ ପାରିଲେ ମାଆ ଲୋ
ପଚାର ବାରବାର ୲୲
ପାଠ ସହ ଲୋଡା ଅଛି ଲୋ
ମାଆ ନୈତିକ ଶିକ୍ଷା
ଲଭିଲେ ଶିକ୍ଷା ତୁ କରିବୁ
ଭଲ ମନ୍ଦର ବାଖ୍ୟା ୲୲
ଦେଶ ଜାତି ଟେକ ରଖିବୁ
ଉତ୍ତମ କର୍ମ କରି
ଆଶିଷ ଦେଉଛି ଢ଼ାଳି ଲୋ
ମଥା ପରେ ତୋହରି ୲୲
ଦୁହିତା ଜନମ ଲଭିଛୁ
ଦୁଇ କୁଳକୁ ହିତା
ପାଠ ପଢି ତୁହି ହେବୁ ଲୋ
ଦିନେ ଜଗତଜିତା ୲୲
Writer's Details: ସଂଯୁକ୍ତା ରଉତ, ଶିକ୍ଷୟିତ୍ରୀ
ଜୟପୁର , କୋରାପୁଟ
Content Category:
Submission Date: May 28, 2019
0 Comments
You can write now your valuable comments here. Off-topic comments may be removed or deleted without prior notice.