
କାହିଁକି ନିଷ୍ଠୁର ହୋଇ ଆସ
ସାଜି ବହୁରୂପୀ ଏଣ୍ଡୁଅ
ବୁଲାଇବାକୁ କଳାକନା
ମୋ ସୁନ୍ଦର ଧରଣୀ ବୁକୁରେ ?
ଅନ୍ତରରେ ତୁମ ହଳାହଳ ବିଷ
ଭାବନାରେ ତୁମ ପ୍ରଲୟର ଅଗ୍ନି
ଆଉ ହାତେ ରଂଗାଇ କଳା କୋଇଲା ବର୍ଣ୍ଣ
ବୀରଦର୍ପେ କମ୍ପମାନ କରି
ଧାରାଶାୟୀ କରୁଛ ମୋ ପ୍ରିୟ ଅଧିବାସୀଙ୍କୁ।
ଆଜି ମା କାନ୍ଦୁଛି ହରାଇ ତା ପୁତ୍ର
ସିନ୍ଦୁର ପୋଛି ସ୍ତ୍ରୀଟା ବାହୁନି କାଁଦ୍ଜଛି
ପୋଛି ସୀମନ୍ତ ସିନ୍ଦୁର ପିନ୍ଧୁଛି କଳଙ୍କ ଗାର
ଜାତି ହରାଇ ତା ସମ୍ପଦ,
କାନ୍ଦୁଛି ଧକେଇ ଧକେଇ
କାଲି ଯେ ଥିଲା ସଜୀବ
ଆସନ୍ତା କାଲି ଜଳିବ ତା ଚିତା ଭସ୍ମ
ଦିଶିଵ.. ଠିକ୍ ତୁମ ହାତର କଳା ବର୍ଣ୍ଣ ପରି।
ଜଟିଳ କରିଦେଲ କୁଶଳୀ ଅଙ୍କା ମାନଚିତ୍ରକୁ
ପାଉଁଶ କରିଦେଲ ଆକାଂକ୍ଷିତ ଭୂଗୋଳକୁ
କେବଳ ଟିକିଏ ବଡିମା ପାଇଁ
ବିଜ୍ଞାନକୁ ସଜାଇଲ ବିମାତା
କଲ ଭସ୍ମ ଏ ମେଦିନୀ.. ଲିପିବଦ୍ଧ ହେଲା ତୁମ ନାଁ
କାଳୀମାର ହିଂସୁକ ଇତିହାସରେ।
ଶୁଣିଯାଅ ହେ ପ୍ରଳୟ
ତଥାପି ଡରେନା ଏ ଜାତି
ତୁମ ପରି ବ୍ୟଭିଚାରୀ ସୈତାନକୁ
ବକ୍ଷ ତାର କରି ଦୃଢ଼
କରୁଛି ସେ ବଜ୍ର ଶପଥ
ପ୍ରଯୁକ୍ତି ବିଦ୍ୟାକୁ କରି ତେଜିୟାନ
ନିଶ୍ଚେ କରିବ ତୁମକୁ ପ୍ରତିହତ
ଆଉ ତୁମ ହସ୍ତର କଳାକୁ ତୁମ ମୁଖେ ବୋଳି
ନିଶ୍ଚେ ନେବ ପ୍ରତିଶୋଧ
ଅତି ଶୀଘ୍ର ଏ ଭବିଷ୍ୟତ ରଣାଙ୍ଗନରେ।
ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର
0 Comments
You can write now your valuable comments here. Off-topic comments may be removed or deleted without prior notice.