
ପ୍ରଳୟ ମୁଁ,
ପ୍ରକୃତିର ସାଥୀ,
ସୃଷ୍ଟିର ମୁଁ
ଅନନ୍ୟ ସର୍ଜନା.
ଭିନ୍ନ ମୋର ବାସ୍ତବିକ ରୂପ.
କ୍ଷଣିକ ଭିତରେ ରଚେ
ନବ ରୂପାନ୍ତର ;
ଉତ୍ପତ୍ତି ମୁଁ,
ପଞ୍ଚଭୂତ କଳ୍ପିତ ମାନସୁ.
ପଥ ମୋର
ଦିଗନ୍ତ ବିସ୍ତାରୀ
ଗତି ମୋର
ଦିଗ ଶୂନ୍ଯ ରାସ୍ତା,
ସ୍ଥିତିରେ ମୋ
ନାହିଁ ସୀମାରେଖା.
ରୂପ ମୋର
ଅନେକ ଅନେକ,
କେତେବେଳେ
ଚକ୍ରବ୍ୟୁହ
କାହିଁ ମୋର
ଝଡ଼ ସାଥେ ରୂପ,
କେବେ କେବେ ଅଗ୍ନି ମୁଖା ମଧ୍ୟ,
କେବେ ରଚେ ମୁହିଁ
କମ୍ପନର
ତୀବ୍ରତର ତାଣ୍ଡବର ଲୀଳା.
ସୃଷ୍ଟି ରେ ମୁଁ
ଏକାଙ୍ଗ ଚକ୍ରବର୍ତ୍ତୀ ଟିଏ,
ନିଜ ରୂପ ନିଜ ଇଚ୍ଛା ମୋର
ବାସ୍ତବିକ
ନିୟନ୍ତ୍ରଣ ଶୂନ୍ଯେ,
ବିଶ୍ବରେ ମୁଁ ରଚି ଥାଏ କେବଳ ଆତଙ୍କ.
ମୋ ଆତଙ୍କ କିଛି ସ୍ମୃତି,
କିଛି ଭୟ ରଚା ବୃତି,
ଇତିହାସ ଗଢ଼ା କିର୍ତ୍ତୀ
କିଛି ସ୍ବାର୍ଥ ନଥାଇ ନିକଟେ,
ତଥାପି ମାନବ ମୁଢ଼
ନ ଚିହ୍ନଇ ଜନ୍ମ ମୋର
ସୃଷ୍ଟି କୁ ବୋଲଇ ଛାର,
ନିଜ ମନେ ଗର୍ବର ଉତ୍କଟେ.
ଧନ ମତ୍ତେ ଧର୍ମ କରି
ହୀନ ବୃତ୍ତିକୁ ଆଦରି,
ନିଜ ସ୍ଥିତି ପରିହରି
କୂଟନୀତି, ଭଣ୍ଡ ଉପଦେଶେ,
ପ୍ରତିଭା ପଣ ବିସ୍ତାରୀ
ପ୍ରତିଜ୍ଞା ଶୂନ୍ଯ ଆଚରି
ପ୍ରତିଦ୍ୱନ୍ଦି, ପ୍ରତିଶ୍ରୁତି, ପ୍ରତିଶୋଧ ଆଶେ.
ଅସହ୍ଯ ପ୍ରକୃତିର
ନିର୍ଯ୍ୟାତନା ଦେଖି,
ତା'ର ଦୁଃଖେ ହୋଇ ସମଭାଗୀ,
କଳୁଷିତ କୁଟିଳତା କରାଳ ର କଳା ଧୌତେ ଜାଗି,
ଜନ୍ମ ମୋର ସେଥିଲାଗି
ଏ କଳିରେ
ଭୟଙ୍କର
"ପ୍ରଳୟ" ନାମରେ.
--------------~~~~~~~~~~~---------------
ବିଷ୍ଣୁ ପ୍ରସାଦ ମିଶ୍ର
ରଥଶର୍ମା କଲୋନୀ, କୋରାପୁଟ
9124049129
0 Comments
You can write now your valuable comments here. Off-topic comments may be removed or deleted without prior notice.