ନାସ୍ତିକ କେବେ ଦେଇପାରିବକି
ଦେବତାର ପରିଭାଷାଧର୍ମାନ୍ଧ କେବେ ଭରିପାରିବକି
କାହାର ମନରେ ଆଶା ।
ବନ୍ଧ୍ୟା ମାଟିରେ ହସି ପାରିବକି
ପୁର୍ଣ୍ଣତାର ଫୁଲକଷି
ପଳାଶ ଫୁଲଟା ଦେଇ ପାରିବକି
ବାସନାକୁ ହସି ହସି ।
କୁହୁଡିଟା କେବେ ହେଇ ପାରିବକି
ସାଗର ଉଛୁଳା ଛାତି
ଅମାବାସ୍ୟାଟା ଭେଟି ପାରିବକି
ତୋଫା ଜହ୍ନର ରାତି ।
ମରୁର ଭୂଇଁରେ ଶୁଣି ପାରିବକି
ଝରଣାର କୂଳୁ ଗୀତି
ନିଷ୍ଠୁର ମଧ୍ୟାହ୍ନ ଦେଇ ପାରିବକି
ସକାଳର ମିଠା ପ୍ରୀତି ।
ଶୂନ୍ଯ କ୍ଷେତରେ ହସି ପାରିବକି
କାହା କମନୀୟ କାନ୍ତି
ଶୁଷ୍କ ନଈଟା ଆଣି ପାରିବକି
ଅମାପ ତୃଷ୍ଣାରେ ତୃପ୍ତି ।
ଉଷର ଭୂଇଁଟା ଆଙ୍କି ପାରିବକି
ଶସ୍ଯର କଳାକୃତି
ବଢିଲା ନଈକୁ ଦେଖିଛକି ବନ୍ଧୁ
କେମିତି ଖେଳାଏ ଭୀତି ।
ଥୁଣ୍ଟା ଗଛଟା ଶୁଣି ପାରିବକି
କୋକିଳର କୁହୁ ଗୀତି
ଶୁଷ୍କ ଅମାର ଭରିପାରିବକି
ଭୋକର ଅସହ୍ୟ ତାତି।
ଶୂନ୍ଯ ହୃଦୟ ଦେଇ ପାରିବକି
ଆଶ୍ବାସନା ସିକ୍ତ ବାଆ
ତିକ୍ତ ମନଟା ଭରିପାରିବକି
ଆଶାର କିରଣ ନୂଆ ।
ତଥାପି ମନଟା ବୁଝେନାହିଁ ଜମା
ଅପେକ୍ଷାରେ ବିତେ ଦିନ
କିଏ ଆସି ଦିନେ ଫୁଙ୍କିଦେବ କାନେ
ମଧୁର ବଈଂଶି ସ୍ବନ ।
ଭଙ୍ଗା ବୀଣାରେ ତୋଳିଦେବ ସୁର
କଷଣକୁ କରି ସାକ୍ଷୀ
ଜୀବନ ସ୍ବପ୍ନ ଭାଙ୍ଗିଯିବା ବେଳେ
ସାହା ଏକା ପ୍ରିୟ ସାଥୀ ।
ନିଦାଘ ଦେଲାଣି ଅସହ୍ୟ ଜାତନା
ଧୂ ଧୂ ଖରା ନିଆଁ
ବରଷାତ ଦିନେ ଭିଜେଇବ ତାକୁ
ଭରିବ ଶୀତଳ ଛୁଆଁ ।
ଅଳିକ ଜୀବନ ଅସରନ୍ତି ଶୋଷ
କାମନାର ଶେଷ ନାହିଁ
ବୁଝିବି ବୁଝେନା ଆଶାରେ ଦଉଡେ
ଅମାନିଆ ମନ ଏଇ ।।
Writer's Details: ହାସ୍ୟମୟୀ ରାଜ୍
ଓରାଳି, ହାଟଡିହି କେନ୍ଦୁଝର ।
Content Category:
Submission Date: May 26, 2019
0 Comments
You can write now your valuable comments here. Off-topic comments may be removed or deleted without prior notice.