
ବିରାଜିଛ ନୀଳମଣି
ଚକ୍ର ସୁଦର୍ଶନ ଭଉଣୀ ସୁଭଦ୍ରା
ସଙ୍ଗେ ଧରି ହଳପାଣି। (୧)
କୋଟି କନ୍ଦର୍ପଙ୍କ ରୂପର ପ୍ରଭାରେ
ହୋଇଅଛ ରୂପବନ୍ତ
ଅଧାଗଢା ହୋଇ ମର୍ତ୍ତ୍ୟ ବୈକୁଣ୍ଠରେ
କରୁଛ ଲୀଳା ଅନନ୍ତ। (୨)
ଭକତ ବତ୍ସଳ ତୁମେ ଭାବଗ୍ରାହୀ
ଉତ୍କଳର ଗଣ୍ଠିଧନ
ତୁମରି ଭାବରେ ବିହ୍ବଳିତ ଆଜି
ସବୁ ଓଡିଆଙ୍କ ମନ। (୩)
ଜାତି,ଧର୍ମ,ଭେଦଭାବରୁ ଉର୍ଦ୍ଧ୍ବରେ
ତୁମରି ଶରଧାବାଲି
ଶ୍ରଦ୍ଧା,ଭକ୍ତି,ଅନୁରାଗର ଡୋରିରେ
ସଭିଙ୍କୁ ବାନ୍ଧିଛ ବୋଲି। (୪)
ବଳ,ବୀର୍ଯ୍ୟ,ଐଶ୍ବର୍ଯ୍ୟରେ ଏକାକାର
ଆହେ ନିଳାଦ୍ରିବିହାରୀ
ଆକୁଳ କଣ୍ଠରେ ଡାକୁଛି ଗରୀବ
ମଣିମା ଶୁଣ ଗୁହାରୀ। (୫)
ଭରି ଦିଅ ଜୀବନର ଶୂନ୍ୟସ୍ଥାନ
ଦିବ୍ୟପ୍ରକାଶେ ତୁମର
ନିଳାଦ୍ରି କେଶରୀ ନୀଳ ଶଇଳରେ
ଅଭିଷ୍ଟ ପୂରଣ କର। (୬)
କରପତ୍ରେ ଦେଇ ଭକତି ସୁମନ
କରୁଅଛି ପ୍ରଣିପାତ
ନୟନୁ ନିର୍ଝର ଲୋତକ ଧାରାରେ
ପାଦକୁ କରୁଛି ଧୌତ। (୭)
ନନ୍ଦିଘୋଷେ କଳା ବାମନ ରୂପରେ
ମିଳିଗଲେ ଦରଶନ
ସକଳ କଳୁଷ ନାଶ ହୋଇଯିବ
ହେବ ନାହିଁ ପୁର୍ନଜନ୍ମ। (୮)
ପାପ ତାପ ନାଶି ଆରତଜନଙ୍କୁ
ଉଦ୍ଧାର ରମାରମଣ
ବାରେ କୃପାକର ଆହେ ଦୟାମୟ
ଘୁଞ୍ଚୁ ଜଗତ କଷଣ। (୯)
ଅରୂପ,ଅବ୍ୟକ୍ତ,ଅଚିନ୍ତ୍ଯ,ଅସୀମ
ତୁମେଯେ ରହସ୍ୟମୟ
କିପରି ବର୍ଣ୍ଣିବି ତୁମରି ମହିମା
ତୁମେ ପରା ଅବର୍ଣ୍ଣନୀୟ। (୧୦)🙏
ନିବେଦିତା ମହାପାତ୍ର
ମୁକୁନ୍ଦ ମିଶ୍ର ନଗର,ପୁରୀ🙏
0 Comments
You can write now your valuable comments here. Off-topic comments may be removed or deleted without prior notice.