ଶ୍ରୀମନ୍ଦିରର ପତିତପାବନ ବାନା ଓ ନୀଳଚକ୍ର

ବିଶ୍ଵପ୍ରସିଦ୍ଧ ଶ୍ରୀଜଗନ୍ନାଥ ମନ୍ଦିର ଉପରେ ଯେଉଁ ଥିବା ନୀଳଚକ୍ରରେ ଉଡୁଥିବା ପତାକାକୁ ପତିତପାବନ ବାନା କୁହାଯାଏ । ପତିତପାବନ ବାନାକୁ ଦର୍ଶନ କଲେ ଜୀବନର ସବୁ ପାପ ଓ ଦୁଃଖ ନାଶନ ହୋଇଯାଏ ବୋଲି ଧର୍ମ ବିଶ୍ଵାସ ରହିଛି । ଘନ ଲୋହିତ ଅବା ଈଷତ ହଳଦିଆ ବର୍ଣ୍ଣର ବସ୍ତ୍ରରେ ଏହି ପତିତପାବନ ବାନା ତିଆରି ହୋଇଥାଏ ଏବଂ ଏହାର ମଧ୍ୟ ଭାଗରେ ଧଳା ରଙ୍ଗରେ ଚନ୍ଦ୍ରବିନ୍ଦୁ ଅଙ୍କିତ ହୋଇଥାଏ । ବିଦ୍ଧି ଓ ପରମ୍ପରା ଅନୁଯାଇ ଏହି ପତିତପାବନ ବାନା ଶ୍ରୀମନ୍ଦିରରେ ଗୋଟିଏ ଦିନରୁ ଅଧିକ ସମୟ ଉଡେ ନାହିଁ । ପ୍ରତିଦିନ ଗରୁଡ ସେବକ ମାନେ ଶ୍ରୀମନ୍ଦିର ଉପରେ ଆରୋହଣ କରି ଏହି ପତିତପାବନ ବାନା ପରିବର୍ତ୍ତନ କାର୍ଯ୍ୟ କରିବା ସହିତ ପ୍ରତି ଏକାଦଶୀ ତିଥିରେ ଶ୍ରୀମନ୍ଦିର ନୀଳଚକ୍ରରେ ମହାଦୀପ ପ୍ରଜ୍ଵଳନ କାର୍ଯ୍ୟ ଏହି ଗରୁଡ ସେବକ ମାନଙ୍କ ଦ୍ଵାରା ସମ୍ପାଦିତ ହୋଇଥାଏ । ଶ୍ରୀମନ୍ଦିର ଭିତରେ କେବେ କିଛି କାରଣରୁ ଭୋଗ ସମର୍ପିତ ହୋଇ ନପାରିଲେ ସେହି ସମସ୍ତ ଭୋଗକୁ ନୀଳଚକ୍ରଙ୍କ ଉଦେଶ୍ୟରେ ଅର୍ପଣ କରାଯାଏ । ଏହି ବିଧି ବ୍ୟବସ୍ଥାକୁ ଚକ୍ର-ମଣୋହୀ କୁହାଯାଏ । ଏହାଛଡା ସର ଘରେ ପ୍ରସ୍ତୁତ ହେଉଥିବା ସମସ୍ତ ମିଷ୍ଟାର୍ଣ୍ଣ ପ୍ରସାଦକୁ ନୀଳାଚକ୍ରଙ୍କୁ ସମର୍ପିତ କରାଯାଇ ଆନନ୍ଦ ବଜାରକୁ ଆସିଥାଏ । ସୁନା, ରୂପା, ରଙ୍ଗ, ତମ୍ବା, ଦସ୍ତା, ସୀସା ଓ ଲୌହ ଆଦି ଅଷ୍ଟଧାତୁର ସମିଶ୍ରଣରେ ନୀଳଚକ୍ର ନିର୍ମିତ୍ତ ହୋଇଅଛି । ନୀଳଚକ୍ରର ଉଚ୍ଚତା ପ୍ରାୟ ୧୧ଫୁଟ ୮ଇଞ୍ଚ । ବ୍ୟାସ ୭ଫୁଟ ୬ଇଞ୍ଚ, ପରିଧି ଫଳକର ବେଧ ୨ଇଞ୍ଚ ଓ ପରିଧିର ଓସାର ୯ଇଞ୍ଚ । ନୀଳଚକ୍ରର କେନ୍ଦ୍ରସ୍ଥଳରେ ସ୍ଥିତ ବୃତ୍ତାକାର କ୍ଷେତ୍ରର ବ୍ୟାସ ୨ଫୁଟ ୨.୫ ଇଞ୍ଚ ଏବଂ ଏଥିରେ ୮ଟି ଅର ଅଛି ଓ ପ୍ରତ୍ୟେକ ଅରର ଦୈର୍ଘ୍ୟ ୧ଫୁଟ ୧୦ ଇଞ୍ଚ ।
ତଥ୍ୟ - ଲକ୍ଷ୍ମୀନାରାୟଣ, ବଣମଲ୍ଲୀର ମହକ

Share:  

Comments