
ଫୁଲ ଠୁଁ କୋମଳ ସେ ଯେ
ସ୍ଵପ୍ନ ଠୁଁ ସୁନ୍ଦର
ଆକାଶ ଠୁଁ ବିଶାଳ ସେ
ସାଗରୁ ଗଭୀର ୲ ୲
ଗଙ୍ଗା ସମ ପବିତ୍ରା ସେ
ମମତା ନିର୍ଝର
ପର୍ବତ ସମ ସେ ଦୃଢ଼
ପ୍ରତିଜ୍ଞାରେ ଚିର ୲ ୲
ସହନଶୀଳତା ଗୁଣ
ପୃଥ୍ବୀ ସମ ତାର
ତେଜ ବୀର୍ଯ୍ୟ ସୂର୍ଯ୍ୟ ଠାରୁ
ଆହୁରି ପ୍ରଖର ୲ ୲
ଜନନୀ ଭଗିନୀ ଜାୟା
କନ୍ୟା ରୂପ ନେଇ
ନିରନ୍ତର ଜଗତର
ମଙ୍ଗଳ ଇଚ୍ଛଇ ୲ ୲
ନାନା ରୂପେ ସଦା କରେ
ଧର୍ମର ପାଳନ
ଧର୍ମ ମାର୍ଗେ ଏ ଧରାକୁ
କରେ ସେ ଚାଳନ ୲ ୲
ଦୁଃଖକୁ ଛାତିରେ ଚାପି
ସୁଖ ବାଣ୍ଟି ଥାଏ
ନିଜ ସଂସାରକୁ ସିଏ
ସ୍ଵର୍ଗ ମଣୁ ଥାଏ ୲ ୲
ପିତା ପତି ପୁତ୍ରଙ୍କର
ମାର୍ଗଦର୍ଶିକା ସେ
ସତ୍ ମାର୍ଗ ଦେଖାଏ ସଦା
ଥାଇଁ ପାଶେ ପାଶେ ୲ ୲
ପୁରୁଷର ଶକ୍ତି ହୋଇ
ପୁରୁଷାର୍ଥ ଚାହେଁ
ଯୁଗେ ଯୁଗେ ପ୍ରେରଣାର
ଉତ୍ସ ହୋଇ ରହେ ୲ ୲
ଦୟା କ୍ଷମା ମମତାର
ସେ ଅଟେ ପ୍ରତୀକ
ପର ଆପଣାର ଭାବ
ତା' ପାଖେ ଅଳୀକ ୲ ୲
ସୃଷ୍ଟିର କଲ୍ୟାଣେ ସିଏ
ଚିର ସହାୟିକା
ପରିବାର ସମ୍ଭାଳେ ସେ
ବୋଲାଇ ସେବିକା ୲ ୲
ନିଜ ସୁଖ ଶାନ୍ତିକୁ ସେ
ହେୟ ଜ୍ଞାନ କରେ
ସଂସାରକୁ ସେବା ଦେଇ
ଆନନ୍ଦରେ ଭରେ ୲ ୲
ମମତାର ପଣତ ତା'
ସୁରକ୍ଷା ବଳୟ
ପ୍ରେମ ଦାନେ ସଂସାରକୁ
କରେ ମଧୁମୟ ୲ ୲
ଏତେ ପରେ ନାହିଁ ତା'ର
ନିଜ ସ୍ଵାଧୀନତା
କିଏ କେବେ ବୁଝେନା ତା'
ଅନ୍ତରର ବ୍ୟଥା ୲ ୲
କେବେ କେବେ ଭାଙ୍ଗି ଯାଏ
ତା' ଆଶାର ନୀଡ
ପ୍ରତାରଣା ନିର୍ଯାତନା
ମିଳେ କୁଢ କୁଢ ୲ ୲
ଅହଂକାରୀ ପୁରୁଷର
କାମନା ବହ୍ନିରେ
ସ୍ଵପ୍ନର ସଉଧ ତାର
ଜଳେ ନିମିଷରେ ୲ ୲
କେବେ ଚାରି କାନ୍ଥ ମଧ୍ୟେ
ଯନ୍ତ୍ରଣା ଆବଦ୍ଧ
କେବେ ରାଜ ଦାଣ୍ଡେ ହୁଏ
ଇଜ୍ଜତର ବଧ ୲ ୲
ନିର୍ଲିପ୍ତ ଚିତ୍ତରେ ସବୁ
କରେ ସେ ହଜମ
ନିନ୍ଦା ଅପନିନ୍ଦାକୁ ସେ
ଭାବେ ତା' କରମ ୲ ୲
ଧୈର୍ଯ୍ୟ ସାହାସ ବୀରତ୍ଵେ
ସେ ଯେ ସର୍ବଂସହା
ଯୁଗେ ଯୁଗେ ତେଣୁ ନାରୀ
ଚିର ବନ୍ଦନୀୟା ୲ ୲
ସଂଯୁକ୍ତା ରାଉତ, ଶିକ୍ଷୟିତ୍ରୀ
ଜୟପୁର , କୋରାପୁଟ
0 Comments
You can write now your valuable comments here. Off-topic comments may be removed or deleted without prior notice.