
ସାଇକେଲଟିଏ ଚଢ଼ିବାକୁ ଗଲେ
ସଭିଏଁ କରନ୍ତି ମନା, ବଡହେଲେ ତୁହି ଚଢିବା ଶିଖିବୁ
ଏବେରୁ ଜମା ଛୁଅଁନା ll
ଜେଜେବାପା ପାଖେ ଚାହା ପିଇଗଲେ
କହନ୍ତି ତୁ ଛୋଟ ପିଲା,
ଚାହା ପିଇବାଟା ବଡ଼ଙ୍କ ଅଭ୍ୟାସ
ଏବେରୁ ଛୁଅଁନା ଭଲା ll
ଖେଳିବାକୁ ଗଲେ ସାଙ୍ଗ ସାଥି ମେଳେ
ବୋଉ ଡାକେ ବାରମ୍ବାର,
ଏଡ଼େ ବଡ଼ ପିଲା ପାଠେ କରୁ ହେଳା
କାହାକୁ ନାହିଁ ତୋ ଡର?
ସାନ ଭାଇ ହାତୁ ଖେଳନାଟି ନେଲେ
କାନ୍ଦେ ସିଏ କଇଁ କଇଁ,
ଏଡୁଟେ ହେଲୁଣି କହେ ଜେଜେମାଆ
ତା' ସାଥେ ଲାଗୁ କିମ୍ପାଇଁ?
ମେଳା ମଉଚ୍ଛବ ଯାନି ଯାତରାକୁ
ଆକଟ କରନ୍ତି ବାପା,
ବଡ଼ପିଲା ହେଲେ ଏସବୁ ଦେଖିବୁ
ବୁଝାଇ କହନ୍ତି ଅପା ll
ମାଆଙ୍କ ଆକଟ ବାପା ନାଲିଆଖି
ଜେଜେଙ୍କ ବଙ୍କୁଲି ବାଡ଼ି,
କେଉଁ କାମେ ମୋର ନାହିଁ ସ୍ୱାଧୀନତା
ଦୁଃଖେ ମୁଁ ଯାଉଛି ବୁଡି ll
କେବେ ହୁଏ ବଡ଼ କେବେ ପୁଣି ଛୋଟ
ବୁଦ୍ଧି ମୋ ଯାଉଛି ହଜି,
ଛୋଟ ପିଲା ମୁହିଁ ଛୋଟ ମୁଣ୍ଡ ମୋର
ଏତିକି ପାରୁନି ବୁଝି ll
Writer's Details: କୌଶିକ କୁମାର ହୋତା, ନବମ ଶ୍ରେଣୀ
କେରଳା ପବ୍ଲିକ ସ୍କୁଲ, ରାଇରଙ୍ଗପୁର, ମୟୁରଭଞ୍ଜ
Content Category:
Submission Date: Apr 19, 2019
0 Comments
You can write now your valuable comments here. Off-topic comments may be removed or deleted without prior notice.