
ଉତ୍କଳମାତାର ଯୋଗ୍ୟତମ ସୂତ
ଯାଇଛି ଆଜି ସେ ଶୋଇ
ଉଠାଅନା ତାକୁ କେହି
ଶୋଇ ଶୋଇ ବୀର ଦେଖୁଛି ସପନ
ଜାତିର ଗୌରବ ପାଇଁ।
ଧନ୍ୟପୁଣ୍ୟ ଗ୍ରାମ ସତ୍ୟଭାମାପୁର
ଧନ୍ୟ ରଘୁନାଥ ଓ ପାର୍ବତୀ
ଜାଳି ସୌଭାଗ୍ୟର ସଞ୍ଜବତୀ
ସରଗୁ ତୋଳିଲେ ପାରିଜାତ ପୁଷ୍ପ
ଉତ୍କଳ ଉଦ୍ୟାନ ଜ୍ୟୋତି।
କେଡେ ସେ ସରଳ ଆଡମ୍ବରଶୂନ୍ୟ
ଏଇ ଜମିଦାରୀ ବାଳ
ମୁଠେ ଖଇ ପ୍ରିୟ ଶାଗ ଓ ପଖାଳ
ଅହିଂସ ଉଦାର ଜ୍ଞାନର ଭଣ୍ଡାର
ସୁଗୁଣର ଗନ୍ତାଘର।
ଦଳିତ ଓଡିଆ ଭାଷା ଦୁରବସ୍ଥା
ଦେଖି କାନ୍ଦିଲା ପରାଣ
ଜିଣି ଓଡିଆ ହୃଦୟ
ଗଢିଲା ଉତ୍କଳ ସମ୍ମିଳନୀ ସଭା
ଅକ୍ଷୁର୍ଣ୍ଣ ଗୌରବ ପଣ।
ପ୍ରଥମ ଇଂରାଜୀ, ଓକିଲ,ମନ୍ତ୍ରୀସେ
ଜ୍ଞାନ ବାଗ୍ମୀତାର ରାଜା
ଲକ୍ଷ୍ୟ ଉଡାଇବ ଜାତିର ଧ୍ୱଜା
ନିଷ୍ଠା ତ୍ୟାଗେ ଡରି ଥରିଲା ବଣିକ
ଶୁଣି ସ୍ୱତନ୍ତ୍ର ଓଡିଶା ବାଜା।
ରାଜନୈତିକର ଶାହେନସା ସିଏ
ଦେଶପ୍ରେମର ସମ୍ରାଟ
ଆଇନର ହିଟଲର
ଗରିବ ଓଡିଆ ନୟନ ପିତୁଳା
ସ୍ୱାଭିମାନ ଇସ୍ତାହାର।
ଜାତି ଇତିହାସେ ଉତ୍କଳ ସନ୍ତାନ
କରୁଛି ଶହେ ସଲାମ
ଜାଗ କବି ଲେଖକ ମହାନ
ଜନନୀର ଉକ୍ତି ଏବେ ବି ଖୋଜୁଛି
ଘୋଡା ଚଢା ଲଢା ମାନ।
ଚାଲିଗଲେ ସିନା ମଧୁ ବାରିଷ୍ଟର
ଆମ ପ୍ରିୟ ମଧୁବାବୁ
ରଖିଦେଇ ସେ ଗୌରବ
ଆଜି ବି ଅମର ଆତ୍ମା ତାଙ୍କ ଡାକେ
ଜାତି ପ୍ରେମ ବହ୍ନି ପ୍ରଜ୍ଜ୍ୱଳିତ କର
ମହକାଇ ତା ସୌରଭ।
ନାରାୟଣ ଚନ୍ଦ୍ର ସେନାପତି,ଜମ୍ଭରା,କେନ୍ଦୁଝର
0 Comments
You can write now your valuable comments here. Off-topic comments may be removed or deleted without prior notice.