
ପକ୍ଷୀ ଫେରେ
ନୀଡ଼ ଭରେ
ଶୟନେ ସପନେ ଆସି ପୀରତି ଧାରେ ,
ସାଥି ହସେ
ଫୁଲ ବାସେ
ଗୋପନରେ ମନ ମିଶେ ରାତି ଅଧରେ |
ମିତ ବସେ
ଜହ୍ନ ହସେ
ବାଦଲକୁ ଶେଜ କରି କାହାଣୀ ଲେଖେ ,
ସ୍ମୃତି ଭାସେ
ତାରା ଖସେ
ଝରା ଫୁଲ ଝରି ଯାଏ ବାସ ଚହଟେ |
ପ୍ରୀତି ଖୋଜେ
ମନ ହଜେ
ପଣତ କାନିରେ ଲୁଚେ ଗୋଲାପୀ ମୁହଁ,
ନିଦ ଢ଼ଳେ
ମେଘ ମାଳେ
ପ୍ରିୟାର ପାଉଁଜି ଭରେ ସଂଗୀତ ଲୟ |
ଚକା ଜହ୍ନ
ଛନ ଛନ
ଝର ଝର ଝରଣାର ଲୋତକ ଢାଳେ ,
ଘୁରେ ମଥା
ନୂଆ ଦେଖା
ଆଇନାରେ କେଶରାଜି ଲହଡି ଖେଳେ |
ଭାରି ମୋହ
ଭିଜା ଦେହ
ଅଦିନିଆ ବରଷାରେ ମିଳେଇ ଯାଏ ,
ବୁଡ଼େ କୁଳ
ଢାଳି ଜଳ
ସ୍ୱର୍ଗ ସୁଖ ପାରିଜାତ ଫୁଟେ ମହକେ |
ସାଥି ନିଶା
ଝୁଲେ ବସା
ଜୀବନରେ ଭରିଯାଏ ରଙ୍ଗ ଅବିର ,
ଭାଙ୍ଗି ମାନ
ଜୀବ ଧନ
ସମର୍ପଣରେ ଆୟୁତ ସୁଖ ସମ୍ଭାର |
ରାହାସ କୁମାର ବେହେରା
ବାଲ୍ୟମ୍ବା, ଢେଙ୍କାନାଳ- ୭୫୯୦୧୫
ମୋ- ୯୪୩୮୧୧୪୩୬୮
0 Comments
You can write now your valuable comments here. Off-topic comments may be removed or deleted without prior notice.