
କ୍ଳାନ୍ତର ବିଛଣାରେ ହାଇମାର
ହଲଚଲ ହେଉଥାଅ ପେଣ୍ଡୁଲମ୍ ଘଡିପରି
ଅବା ମତୁଆଲା ହାତୀପରି
ଭୂଜଙ୍ଗସମ ଗର୍ଜନ କର
ଆକସ୍ମିକ ବାଲିଝଡ ପ୍ରାୟ.....।
ସଜ ଗୋଲାପର କଅଁଳିଆ ଶେଯ
ତୁମର ଭାରି ପସନ୍ଦ
ପତଳା ଆବରଣ ଅବା ଉଷୁମ ପଶମଟେ
ତୁମ ପାଇଁ ଆନନ୍ଦର ଚିବୁକ
ତୁମେତ ସ୍ୱପ୍ନର ତାଜମହଲ
ଦରିଦ୍ରର କୁବେର...।
ତୁମେ ଭେଦଭାବ ଶୂନ୍ୟ ହୃଦୟଟିଏ
ସ୍ଥାନ କାଳ ପାତ୍ର ସବୁଠି ତୁମର ପ୍ରତିଯୋଜନ
କଠିନ ଶବ୍ଦ ତୁମପାଇଁ ମାରାତ୍ମକ
ଶୃଙ୍ଖଳାକୁ ଭଲପାଅ
ସମ୍ମାନ ଦିଅ ଅତି ଅାଦରରେ
ଅବଚେତନର ଆଇନାରେ...।
ଦାୟିତ୍ୱବାନ ପାଇଁ ତୁମେ ତରଳ
ଯତ୍ନହୀନ ପାଇଁ କୁମ୍ଭକର୍ଣ୍ଣ
ଯେ ନିୟନ୍ତ୍ରଣ କରେ ତା ଜୀବନ କର ନିୟନ୍ତ୍ରିତ
ଅପରରେ ଅନୁତାପର ସଞ୍ଜବତି ଜାଳ
ଶୂନ୍ୟ ଅନ୍ଧାରରେ...।
ସ୍ୱାସ୍ଥ୍ୟପାଇଁ ତୁମେ ଭିଟାମିନ୍ କମ୍ପ୍ଲେକ୍ସ
ଶିଶୁପାଇଁ ଭିଟାମିନ୍ ବି, ଡି ବା ଇ,
ମସ୍ତିଷ୍କ ପାଇଁ ମଲମ ଅବା ବ୍ୟାୟାମ
ସ୍ଥିରତା ବିଚାର ସୁଚିନ୍ତାର ତୁମେ ତ ନିଦର୍ଶନ..
ସତରେ ତମେ ପ୍ରେମର ମଉନାବତି....
ଅଥବା ସ୍ୱପ୍ନର ସୁନ୍ଦରୀ ତରୁଣୀ
ଅପ୍ସରୀ ନିଦ୍ରାବତି.......।
ନାରାୟଣ. ଚନ୍ଦ୍ର ସେନାପତି
ଜମ୍ଭରା, କେନ୍ଦୁଝର
0 Comments
You can write now your valuable comments here. Off-topic comments may be removed or deleted without prior notice.