
ଶୀତ ଯେବେ ଆଖିଠାର ମାରିଦିଏ
ବସନ୍ତ ମୁରୁକି ହସେ
ଚାଲିଆସେ ଛୁଇଁବାକୁ ଥିରିଥିରି
ଝାପ୍ ସା ଇସାରାରେ
ମୃଦ୍ୟୁମନ୍ଦ ମଳୟର ବୀଣାଝଙ୍କାରରେ
କୋକିଳର କୁହୁ କୁହୁ ତାନରେ
ହଳଦୀବସନ୍ତଟା ନାଚିଉଠେ
ପ୍ରକୃତି ରାଣୀ ପ୍ରଣୟରେ ସବୁଜ ହୋଇଯାଏ
ଶିହରାଇ ସୁକୋମଳ ତନୁ
ଆମ୍ର ବଉଳର ମହମହ ବାସ୍ନାରେ।
ହେଲେ କ'ଣ ରହେ ସେ ସୁଶୋଭା !!!
ଯେବେ ସମୟର ଚୋରାବାଲିରେ
ସରିଯାଏ ବାସନ୍ତୀର ଅଭିନୟ
ରଙ୍ଗମଞ୍ଚଟା ଖାଁ ଖାଁ ଲାଗେ
ଶୁଖିଲା ଓଠର ଶିଥିଳ କାନ୍ତିରେ
ହଜିଯାଏ ଯୌବନର ଅଙ୍କଟା
ହାସ୍ୟ ପ୍ରେମ ମଧୁ ରସପରେ
କାରୁଣ୍ୟର ମଶାଣୀରେ।
ବାର୍ଦ୍ଧକ୍ୟର ନିଦାଘଟା
ଗରମ ଶ୍ୱାସରେ ଅଣନିଶ୍ୱାସୀ ହୋଇଯାଏ
ଅଖୋଜା ଅଲୋଡା ଅଚିହ୍ନା ପରଦାଟା ଛିଡାହୁଏ
ସ୍ୱପ୍ନପରି ଲାଗେ
ସେ ରୂପ କାନ୍ତି ବାସ୍ନା ଓ ଆକର୍ଷଣ
ସ୍ମୃତିର ଛିଟାଟା ରହେ
ବାର୍ଦ୍ଧକ୍ୟର ସୂଚୀପତ୍ରରେ
ପୁଣି ଯୌବନର କବରରେ...॥
ଜୀବନର ଦିଗ୍ ବଳୟ ଉପରେ ଛିଡାହୋଇ
ଯେବେ ଲେଖେ
ଯୌବନ ଓ ବାର୍ଦ୍ଧକ୍ୟର ପ୍ରଭେଦ
ଦାନଦିଆ ଲମ୍ବା ହାତଟା
ଆଜି ହାତ ପତାଏ... ଖୋଜେ ଦାନ
ଟପ୍ ଟପ୍ ଦୁଇଟୋପା ....
ସହାନୁଭୂତି...ଓ...ସହାୟତା !!!
ଏଇତ ଜୀବନ.... ଧନ୍ୟଧନ୍ୟ...
ରହେନା ତା ଚିହ୍ନ ବର୍ଣ୍ଣ
ଆଜି ଯେ ସାତ ସପନ
ସମୟର ଜ୍ୱାଳାରେ....
କାଲି ସେ ଶୂନ୍ୟ...ଶ୍ମସାନ...।
ନାରାୟଣ ଚନ୍ଦ୍ର ସେନାପତି
ସମ୍ପାଦକ-ସୁନ୍ଦର ମୋ ଭାଷା ସାହିତ୍ୟ
ଜମ୍ଭରା, କେନ୍ଦୁଝର
0 Comments
You can write now your valuable comments here. Off-topic comments may be removed or deleted without prior notice.