
ମନେ ପଡେ ଆଜି
ମୋ ମନର ମିତ
ମିତ ନୁହେଁ ସେ ଯେ ମୋର
ଜୀବନ ସଙ୍ଗୀତ II
ଶୀତ ଯେବେ ଆସୁଥିଲା
ପାଶେ ଥାଏ ମୋର
ଜଣା ପଡେ ନାହିଁ ମୋତେ
ଶୀତୁଆ କାକର II
ହାତ ତାର ଥାଏ ସଦା
ମୋରି ହାତରେ
ଥଣ୍ଡା ମୋତେ ଲାଗେ ନାହିଁ
ସେ ଥିଲେ କତିରେ II
ତା କାନ୍ଧରେ ମୁଣ୍ଡ ରଖି
ଭୁଲିଯାଏ ଦୁଃଖ
ସେ ଥିଲା ମୋ ପାଇଁ
ଅସରନ୍ତି ସୁଖ II
କାହାର ନଜର ପଡି
ହେଲା ମୋଠୁ ଦୂର
ଓଦା ହୁଏ ଶୀତରେ ମୁଁ
ବୁହେ ଲୁହ ଧାର II
ଯେବେ ଯେବେ ଶୀତ ଆସେ
ମନେ ପଡେ ସିଏ
ଗଢିଥିଲୁ ଶୀତଦିନେ
ଛୋଟ ଘର ଟିଏ II
ମୁଁ ଥିଲି ସେ ଥିଲା
ଥିଲା ଆମ ପ୍ରେମ
ସବୁକିଛି ସାରି ଦେଲା
ଅଦିନ ତୋଫାନ II
କୋହଲା ପବନ ସଂଗେ
ତୁଷାରର ଛିଟା
ତା ସାଙ୍ଗକୁ ମୋ ପ୍ରିୟର
କଥା ମିଠା ମିଠା II
ଦେହରେ ବାଜିଲା ତାର
ଦେହ ଯେବେ ମୋଠି
ମନକୁ ସମ୍ଭାଳି ମୋର
ପାରିଲି କଉଠି II
ମନରେ ଦେହରେ ଆମ
ଲାଗିଗଲା ନିଆଁ
ସେ ନିଆଁରେ ଜଳି ଗଲା
ମୋ ସାରା ଦୁନିଆ II
ସେହିଦିନୁ ଦେଖା ନାହିଁ
ସାଥି ମୋର କାହିଁ
ମୋତେ ଧୋକା ଦେଇ ସିଏ
ଆଉ ଫେରି ନାହିଁ II
ସେଵେଠାରୁ ଶୀତ
ତୋତେ ପାଏନା ମୁଁ ଭଲ
ଜୀବନକୁ କରିଦେଲୁ
ଭାରି କଲବଲ II
କଳଙ୍କିତ ଜୀବନ ମୋ
କୁହନ୍ତି ସଭିଏଁ
ତୁ କହ କଳଙ୍କିତ
କଲା ମୋତେ କିଏ II
କଳଙ୍କିତ ନାୟିକା ମୁଁ
ସାଜିଛି ତୋ ପାଇଁ
ସବୁ ଦୋଷ ତୋର ଶୀତ
ମୋର ଭୁଲ ନାହିଁ II
ପ୍ରତାରିତ ହୋଇ ଆଜି
ବସିଛି ଶୀତରେ
ଦେହରେ ବାଜୁନି ଥଣ୍ଡା
ଜଳେ ବିରହରେ II
ସସ୍ମିତା ସାହୁ, ନାଶିକ, ମହାରାଷ୍ଟ୍ର
0 Comments
You can write now your valuable comments here. Off-topic comments may be removed or deleted without prior notice.