
ମାଆ, ମାତୃଭୂମି,ମାତୃଭାଷା ଠାରୁ
କିଏ ଅଛି ମହିୟସୀ ?
ଜନମ କାଳରୁ ମରଣ ପର୍ଯ୍ୟନ୍ତ
ଜୀବନ ଗଢନ୍ତି ମିଶି ।
ଦଶମାସ ମାଆ ଗର୍ଭେ ଧରିକରି
ପ୍ରସବ ବେଦନା ସହି
ଦୁନିଆ ଆଲୋକ ଦେଖାଏ ଆମକୁ
ନୂଆ ପରିଚୟ ଦେଇ
।
ତନୁରୁ ନିଗାଡି ଅମୃତ କଣିକା
ମୁଖରେ ଆହାର ଭରେ
ସେବା ଯତନରେ ପାଳଇ ଆମକୁ
ଛୋଟରୁ ବଡ଼ ତ କରେ ।
ମାତୃଭୂମି କୋଳ ଛୁଇଁବା ଯେବେଠୁ
ଆଦରେ କୋଳେଇ ନିଏ
ତା'ପାଣି ପବନେ
ଶରୀର ପ୍ରାଣରେ
ଶକତି ସଞ୍ଚରି ଥାଏ ।
ତା'ର ବକ୍ଷ
ପରେ ଗୋଡ଼କୁ କଚାଡି
ଅଳି ବା ଅଝଟ କଲେ
ପାଦର ଆଘାତ ଆଦରେ ସହି ବି
ଆଶିଷ ଆମକୁ ଢାଳେ ।
ତା'ର ଶରୀରକୁ
ଅସ୍ତବ୍ୟସ୍ତ କରି
ଜୀବନ ଜୀଇଁବା ପାଇଁ
ସୁନାର ଫସଲ ଭେଟି ଦେଇଥାଏ
ଅବଶୋଷ କରେ ନାହିଁ ।
କୁନି କୁନି ଓଠେ ମାତୃଭାଷା ଦ୍ୱାରା
ମନଭାବ ବ୍ୟକ୍ତ କରି
ସଭିଙ୍କ ସେନେହ ସାଉଁଟି ଜୀବନେ
କେବେ ବି ଯିବାନି ହାରି ।
ପ୍ରଗତି ଆଳରେ ଅନ୍ୟଭାଷା ଯେତେ
ଶିଖୁଛେ ଖଟାଇ ବୁଦ୍ଧି
ମାତୃଭାଷା ବିନା ସମାଜ ଆଗରେ
ପାରିବାକି କାର୍ଯ୍ୟ ସାଧି ?
ମାଆ, ମାତୃଭୂମି,ମାତୃଭାଷା ବିନା
ଅସ୍ତିତ୍ୱ ହାରିବା ସାର
ସମ୍ମାନ କରିଲେ ଗୌରବ ବଢିବ
କରନା ମନରୁ ପର ।
ଜୟଶ୍ରୀ
ମହାରଣା,
ବାଣପୁର, ଖୋର୍ଦ୍ଧା
0 Comments
You can write now your valuable comments here. Off-topic comments may be removed or deleted without prior notice.