
ଘରକୁ କୁଣିଆ ଆସିଲେ
ପାନ ଖାଇବାକୁ
ଖୋଜାପଡେ ବଟୁଆ
ମାଇପିଙ୍କ ଗହଣରେ
ବଟୁଆ ହୁଏ ଏହାତ ସେହାତ
କଥାମୁଣି ସହ ବଟୁଆ ଖୋଲାହୁଏ
ମଧୁ ଗୁଡିଆଠୁ ବରା, ଗଲୁଗୁଲାର
ପାଊଣା ଏଇ ବଟୁଆ ଦିଏ
ବଟୁଆ ଖୋଲିଲେ ମିଳେ
ପାଣୁ ଅବଧାନର ଜାତକ ମେଳକ
ମସିଆ କାଗଜ , ଆଉ
ଧୋବି ସାହୁର ତେଜରାତି ଚିଠା
ଧାନ ବେପାରୀର ହିସାବ ଓ
ମଙ୍ଗା ବଇଦଙ୍କ ଚେରମୂଳି ଚିଠା
ବଟୁଆଟି ଯେମିତି
ମୋ ମାମୁଁଘରର ଏକ ଇତିହାସ
ମୋଟା କନାର ଅର୍ଦ୍ଧ ବୃତ୍ତାକାର
ଡୋରିଲଗା ତେଲଚିକିଟିଆ ମସିଆ
ଏହାର ପେଟରେ ଥାଏ
ପିତଳ ଚୁନଖାଇରେ ପାନ ଓ ଚୁନ
ଗୁଆ ଗୁଆକାତି, ଗୁଣ୍ଡି ଖଇର
ଗୁଜୁରାତି ଅଳେଇଚ
ତଥା ଅଜାଙ୍କର ଛୋଟିଆ ଟ୍ରେଜେରୀ
ଯାତ୍ରା ଦେଖିବାକୁ ବାହାରିଲେ
ଏଥିରୁ ମିଳେ ପାଊଣା
ଅଜାଙ୍କ କାଖରେ ଝୁଲୁଥିବା
ଏଇ ବଟୁଆ ଉପରେ ମୋର
ଭାରି ନଜର ଥାଏ
କେବେ ଯଦି ସୁଯୋଗ ମିଳେ
ମିଳିଯିବ ଆଠଣା ଚାରଣା
ଏବେ ମାମୁଁଘରକୁ ଗଲେ
ଅଜାଙ୍କ କାଖ ଝାଳଲଗା
ସେ ବଟୁଆ ମୁଁ ପାଏନା
ତାହା ବୋଧେ ଆଶ୍ରୟ ନେଇଥିବ
କେଉଁ ବର୍ଜ୍ୟବସ୍ତୁ ଭିତରେ
ରୁନ୍ଧି ହୋଇଯାଉଥିବ କେଉଁ
ଅଦରକାରୀ ଜିନିଷର
କଳେବର ତଳେ
ଅଜା ଆଈଙ୍କର ଅଳନ୍ଧୁଲଗା
କଳା ଧଳା ଫଟୋପରି
ସେ ମଧ୍ୟ ଅଲୋଡା
ସେଥୁରୁ ଉଠୁନଥିବ
ଚୁଆ ଆଉ ଜର୍ଦ୍ଦାର ମହକ
ଶୁଭୁନଥିବ ରେଜା ପଇସାର
ଝଣ ଝଣ ଶବ୍ଦ
କେଉଁ ଅଜଣା ଯାଗାରେ
ସେ ପଡିଥିବ ଅଲୋଡା ହୋଇ
ଠିକ୍ ଅଜା ଆଈଙ୍କ ସ୍ମୃତି ଭଳି |
ପ୍ରମୋଦ କୁମାର ପଣ୍ଡା
ବାଘମାରୀ, ଖୋର୍ଦ୍ଧା
0 Comments
You can write now your valuable comments here. Off-topic comments may be removed or deleted without prior notice.