
ହାତୀ ଦେବି ଘୋଡ଼ା ଦେବି
ମୋ ପେକାଳି ବାଜ୍,
ପିଲା ଦିନ କଥା ମନେ ପଡ଼ିଲା
ନେତା ମାନଙ୍କ ନାନା ପ୍ରଲୋଭନ
ନୂଆ ବର୍ଷ ଦୁଇ ହଜାର ଉଣେଇଶ
ସଜାଇ ରଞ୍ଜାଇ ମନକୁ ମଜ୍ଜାଇ
ପ୍ରସ୍ତୁତ ଦେବାକୁ ଭାଷଣ
ବାଜି ମାରିବାକୁ ନିର୍ବାଚନ ।
ଯୋଜନା ପରେ ଯୋଜନା
ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ
ତଥାପି ମନ ବୁଝେନା
ସବୁ କିଛି ମିଳେ ଏଠି ମାଗଣା
ତଥାପି ବି ପିଠା ବାଣ୍ଟି
କାଳିଆକୁ କଲେ ଭରସା
ବିରୋଧୀ କହିଲେ ଛଳନା ।
କଳା ଲାଗିବନି ଦିଶିବ ଉଜ୍ଜ୍ୱଳ
ହୋଇଲା ଉଜ୍ଜ୍ୱଳା ଯୋଜନା
ମହିଳାମାନଙ୍କୁ ଖୁସି କରିବାକୁ
ଘରେ ଘରେ ନେତା
ଇନ୍ଧନ ଦେଇ ଶିଖାଇଲେ ନବ ରାନ୍ଧଣା
ପରେ ପରେ ଏମିତି ଅବସ୍ଥା,
ବ୍ୟବହାର୍ଯ୍ୟ ଅଧିକାଂଶ ଜିନିଷର
ଦର ବୃଦ୍ଧି ହୁଏ ସତେ ଯେମିତି
ପୂର୍ଣ୍ଣିମା ସାଗର ଜୁଆର
ପ୍ରଜା ହନ୍ତସନ୍ତ ଚଳିବ କେମିତି
ଅସୁମାରୀ ଆଶା, ଆଶଙ୍କା ଓ ଭାବନା
ଦୀର୍ଘ ଦିନ ପରେ
ଭୋକିଲା ପେଟରେ
ସତେ ପଡ଼ିଲା କି କିଛି ଦାନା
ଥୋକେ ହେଲେ ଉତ୍ସାହିତ
ଖେଳିଲେ ପୁରୁଣା ଖେଳ
ଗରିବି ହଟାଓ
ପୁଣି କଲେ ନାନା ଅଦ୍ଭୁତ ଘୋଷଣା
ଛାଡ଼ କରି କୃଷି ଋଣ
ଭୁଲାଇବାକୁ କୃଷକର
ସରଳ ଛଳ ଛଳ ତରଳ ଭାବନା
ପେଁକାଳି ବଜାଇବାକୁ
ସମସ୍ତଙ୍କ ମନ
ମନାଇବାରେ ସଫଳ ହେବ କିଏ
ସମୟ ହିଁ କହିବ
ହେ ଜନତା
ଚିହ୍ନିରଖ ଭ୍ରାତାଙ୍କ ବଦନ
ବାଜିବା ପୂର୍ବରୁ ପେଁକାଳି
ଭାବିବାକୁ ହେବ ଭବିଷ୍ୟତ
ହୁଅ ସାବଧାନ ।
ଘନଶ୍ୟାମ ସାହୁ
ଯୁଗ୍ମ ସମ୍ପାଦକ-ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡ।,
ପୋ:ଅ: କିଶୋର ଗଞ୍ଜ,ଜିଲ୍ଲା-ଅନୁଗୋଳ
ପିନ୍ କୋଡ -- ୭୫୯୧୨୭
0 Comments
You can write now your valuable comments here. Off-topic comments may be removed or deleted without prior notice.