
ବଡଦାଣ୍ଡ ଧୂଳି ମଥାରେ ମୋ ବୋଳି
ନୀଳଚକ୍ର ଦେଲେ ଚାହିଁ
ଲୋତକ ଝରଇ ଆଖିରୁ ଅଶେଷ
ମନ କାନ୍ଦେ କଇଁ କଇଁ | ୧|
କେଡେ ନିସ୍ଵଭରା ଜୀବନ ସଂସାରେ
ସ୍ୱର୍ଗ ସୁଖ ଖୋଜୁଥାଇ
ଜଗତର ସୁଖ ଅନନ୍ତ ଚରଣେ
ମଣିଷ ଜାଣିଲା ନାହିଁ | ୨|
ସାତ ନଈ ତେର ଦରିଆ ଡେଇଁଯେ
ଚରଣେ ଢାଳିଛି ଦୁଃଖ
ଦିବ୍ୟ ଦରଶନ ସୁଯୋଗ ଏ ଭାଗ୍ୟେ
ପାଇଛି ସ୍ୱର୍ଗୀୟ ସୁଖ | ୩|
ନୀଡ଼ଫେରା ପକ୍ଷୀ ଜୀବନ ବାଟରୁ
ନିତି ବଞ୍ଚେ ହାହା କାରେ
ଦହଗଞ୍ଜ ମିଛ ସମ୍ପର୍କ କେତେଯେ
ଦହନ ମାୟା ଜଞ୍ଜାଳେ | ୪|
ଧନ ଜୀବନ ଏ ପାଣିର ଗାରଟି
ନିମିଷକେ ଯାଏ ସରି
ହସୁଥିବା ଲୋକ ଘଡ଼ିଏ ଗଡ଼ିଲେ
ମଶାଣିରେ ଥାଏ ସୋଇ | ୫|
କେତେ ଆସିଲେଣି କେତେଯେ ଗଲେଣି
ହିସାବ ରଖିଛି କିଏ
ନିଜ ପାଦ ଚିହ୍ନ ଟିକିଏ ପହରେ
କହୁଛି ତୋହର ନୁହେଁ | ୬|
ସଂସାର ମୋହ ଯେ ମାୟାର ଘୁଙ୍ଗୁର
ମନକୁ ଲାଗଇ ମିଠା
ସପନ ସରିଲେ ସକାଳ ଆସିଲେ
ଦୁନିଆଟା ଲାଗେ ଖଟା | ୭|
ଆହାରେ ମଣିଷ ମିଛ,ଗର୍ବ,ଦମ୍ଭ
ମିଛ ମରୀଚିକା ସବୁ
ଯାହାକୁ କହୁଛୁ ନିଜର ମୋହରି
ସାଥିରେ କି ତା'କୁ ନେବୁ | ୮|
ବେଳ ଥାଉ ବନ୍ଧ ବାନ୍ଧୁଥାରେ ବାବୁ
ଭଜୁ ଥାଅ ଶ୍ରେଷ୍ଠ ନାମ
ଜୀବ ଗଲା ବେଳେ ସେହି ପୁଣ୍ୟ ବଳେ
ମିଳିଯିବ ଦିବ୍ୟ ଧାମ |୯ |
ମଣିଷ ଜୀବନ ଲୋଡ଼ା ନାହିଁ ପ୍ରଭୁ
ଦୁବ ଘାସ ପଛେ କର
ଭକତ ତୋହର ପାଦେ ଦଳିଗଲେ
ପାପୁ ହୋଇଯିବି ପାର | ୧୦ |
ମିଛ ଅହମିକା ଭାଙ୍ଗି ଯାଇଛି ମୋ'
ଶରଣ ନୀଳକନ୍ଦର
ଜୟ ଜଗନ୍ନାଥ ଦାରୁ ଦେବତା ହେ'
ତୁମେହିଁ କରୁଣା କର | ୧୧ |
ରାହାସ କୁମାର ବେହେରା
ବାଲ୍ୟମ୍ବା, ଢେଙ୍କାନାଳ- ୭୫୯୦୧୫
ଦୂରଭାଷ: ୯୪୩୮୧୧୪୩୬୮
0 Comments
You can write now your valuable comments here. Off-topic comments may be removed or deleted without prior notice.