
ହେ ଜଗତ ସୃଷ୍ଟି କରତା ପରଂବ୍ରହ୍ମ ବିଶ୍ବପିତା
ଅନାଥରନାଥ ନାଥ
ରଖ ରଖ ମହାବାହୁ ବିପଦ ଜଳୁ
ସତ୍ୟ ଡୁବି ବୁଡି ଯାଏ ଧରଣୀ ତଳୁ ।।
ମିଛ ମନ୍ଦ ବୁଦ୍ଧି ଯେତେ ପ୍ରସରିଯାଏ ଜଗତେ
ଝରେ ଅବିଶ୍ବାସ ବିଷ
ସ୍ନେହ ପ୍ରେମ ଅପଚୟ ହୁଏ ମନରୁ
ସତ୍ୟ ଡୁବି ଡୁବି ଯାଏ ଧରଣୀ ତଳୁ ।।
ରାଗ ହିଂସା ପରମନ୍ଦ ମଣିଷ ହୁଅଇ ଅନ୍ଧ
ହସ ଲିଭି ଲିଭିଯାଏ
କିଏସେ ରଖିବ ଆଉ ଦୁଃଖ କବଳୁ
ସତ୍ୟ ଡୁବି ଡୁବି ଯାଏ ଧରଣୀ ତଳୁ ।।
ନକର ଅନାଥ ନାଥ କୃପାସିନ୍ଧୁ ଜଗନ୍ନାଥ
କମଳାର ବର କର
ଭକତ ଉଦ୍ଧାର ଏହି ଭବଭୟରୁ
ସତ୍ୟ ଡୁବି ଡୁବି ଯାଏ ଧରଣୀ ତଳୁ ।।
ପ୍ରଫୁଲ୍ଲ ଫୁଲ ତୋ ପଦେ ଅରପି ବିକଳେ ଡାକେ
ନାହିଁ ଆଉ ପରିତ୍ରାଣ
ବଂଚିତ ନକର ପଦ୍ମପଦ ସେବାରୁ
ସତ୍ୟ ଡୁବି ଡୁବି ଯାଏ ଧରଣୀ ତଳୁ ।।
-----------------------------
ମଙ୍ଗଳାଯୋଡି , ଖୋର୍ଦ୍ଧା
0 Comments
You can write now your valuable comments here. Off-topic comments may be removed or deleted without prior notice.