
ଇଲେକସନଟା ପାଖେଇ ଆସୁଛି
ଶୁଭେ ଚାପା ଗୁଂଜରଣ
ସପ୍ତଦଶତମ ଲୋକସଭା ପାଇଁ
ସାଧାରଣ ନିର୍ବାଚନ
ଚାରିଟି ରାଇଜ ପୁଣ
ଓଡିଶା ଆନ୍ଧର ସିକିମି ସହିତ
ଅରୁଣାଚଳ ତ ଜାଣ ।
କାଆଲି ରାତିରେ ସଂଜୁଆ ଖଟିରେ
ଚୁଚା ଦେଖା ହୋଇଥିଲା
'ଭାଇ ନମସ୍କାର' 'କେମିତି ଅଛନ୍ତି'
ଭଲମନ୍ଦ ପଚାରିଲା
କାନରେ ଧିରେ କହିଲା
ଏଥର ତା ଭୋଟ ବିକିବନି ଜମା
ସିଏ ନୁହଁ ଆଉ ଓଲା ।
ପାଞ୍ଚବର୍ଷ ତଳେ ପାଆଁଶ ଟଙ୍କାରେ
ମୁଣ୍ଡଟାକୁ ବିକିଥେଲା
ଭାତକୁ ଚିକନ ଭୋଜି ଖାଇଥଲା
ଚାରି ପେଗ୍ ମାରିଥିଲା
ନିୟମ ବି କରିଥିଲା
ଥିଲା ସେ ଯୋଉଠି ଆଜି ବି ସେଇଠି
କି ଲାଭ ପାଇଲା ଭଲା ?
ମାସରେ ଦଶୁଟା ମିଳୁନି ମଜୁରୀ
ଚେନେଇ କେରଳ ଯାଏ
ସ୍ତିରୀ ପିଲା ଛାଡି ସ୍ତିରୀ ପିଲା ପାଇଁ
ଗଧଭଳି ଖଟୁଥାଏ
ତଥାପି ନିଅଣ୍ଟ ହୁଏ
କହିଲେ କାହାକୁ କିଏ'ବା ଶୁଣିବ
ଉତ୍ତରଦାୟୀ ତ ସିଏ ।
ଶହକେ ସତୁରୀ ତାଠାରୁ ଅଧିକ
ବଦମାସ ଆମ ନେତା
ନୋଅଟ ବଦଳେ ଭୋଅଟ କିଣନ୍ତି
ବାଣ୍ଟନ୍ତି କମଳ ଛତା
ଜିତିଲେ କାଟନ୍ତି ଚିତା
ଟଂକାକେ ଚାଉଳ ପାଂଚ'ରେ ଆହାର
ଭୁଲନ୍ତି ବୋକା ଜନତା ।
ଜନତା ଅଟନ୍ତି ସର୍ବ ଶକ୍ତିମାନ
ଗଣତନ୍ତ୍ର ଶାସନରେ
ନଗର ବିଜ୍ଞାନେ ପଢିଥେଲା ଚୁଚା
ଥିଲା ଯେବେ ସପ୍ତମରେ
ଚୁଟିକୁ ଜାବୁଡି ଧରେ
ଏ ପାଳି ତାଆର ଅମୂଲ୍ୟ ଭୋଅଟ
ବିକିବନି ପାଞ୍ଚଶରେ ।
ଛତାବର ପରି ସବୁ ଏକାଦର
ଗୋଟିଏ ଲାଉର ମଂଜି
ଚଉକି ଖଣ୍ଡିକ ମିଳିଗଲା ପରେ
ପାଲଟି ଯାଆନ୍ତି ପାଜି
ସିଲଟ ବଖାଣେ ଆଜି
ଅସାଧୁ ନେତାକୁ ଦିଅନାରେ ଭୋଟ
ଟିପରେ ନୋଟା ସୁଇଜି ।
ସଲିଳ କୁମାର ସ୍ଵାଇଁ, ଶିକ୍ଷକ
ସୁନ୍ଦରପୁର ପ୍ର. ଉ. ପ୍ରା. ବିଦ୍ୟାଳୟ
0 Comments
You can write now your valuable comments here. Off-topic comments may be removed or deleted without prior notice.