
ହେ ମା' ଭାରତୀ ସୁନ୍ଦର ମୂରତି
ତୋ ସମ ହେବ କିଏ,
ହାତରେ ତୋର ତ୍ରିରଙ୍ଗା ପତାକା
ଫରଫର ଉଡୁଥାଏ II
ସିଂହ ବାହିନୀ ବୀର ପ୍ରସବିନୀ
ଶସ୍ୟ ଶ୍ୟାମଳା ତୁହି ,
ତୋରି ଗର୍ଭରୁ କେତେ ପୁଣ୍ୟ ନଦୀ
ଯାଇଛନ୍ତି ପୁଣି ବହି II
ବିଦେଶୀ ହାତରେ ଶାସନ ହେଲୁ ତୁ
କରିଥିଲେ ନଷ୍ଟଭ୍ରଷ୍ଟ,
ଆମରି ଯୋଗୁଁ ମା' ତୋରି ଦୁର୍ଦ୍ଦଶା
ପାଇଲୁ କେତେ ଯେ କଷ୍ଟ II
ତଥାପି ନ ହାରି ନ ଡରି ତୁହି ଲୋ
ବୀରପୁତ୍ର କଲୁ ଠିଆ,
ପ୍ରାଣବଳି ଦେଇ ତୋତେ ମୁକ୍ତ କଲେ
ହସିଲୁ ତୁ ସୁନା ମାଆ II
ଅଭିମାନ କରେ ତୋତେ ନେଇ ମା'
ବିଶ୍ୱରେ ପ୍ରସିଦ୍ଧ ତୁହି,
ସର୍ବ ଧର୍ମ ଲୋକ କୋଳେଇଛୁ ମା'
ଖୁସିରେ ଅଛନ୍ତି ରହି II
ଐତିହାସିକ ସ୍ଥଳ ସ୍ମାରକ ତୋହର
ବିଖ୍ୟାତ ଅଟଇ ମା,'
ପ୍ରାକୃତିକ ସ୍ଥଳ ମନୋରମ ଦୃଶ୍ୟ
କି ସୁନ୍ଦର ଅଟେ ଆହା II
ତୋହର ସଂସ୍କୃତି ଆଉ ପରମ୍ପରା
ଜଗତେ ନାଁ ରଖିଛି,
ସର୍ବଧର୍ମ ପର୍ବ ପାଳୁ ତୋ ପାଇଁ
ହସି ଖେଳି ମିଳିମିଶି II
'ସଂସ୍କୃତ 'ଭାଷାକୁ ତୁ ସୃଷ୍ଟି କଲୁ
ଦେଇଛୁ ଜନ୍ମ 'ଯୋଗ' କୁ,
'ଚାରିବେଦ' ତୋର କୋଳରୁ ଜାତ ଲୋ
ବାହାର କଲୁ 'ଶୂନ୍ୟ'କୁ II
ବଡ ବଡ ମହାପୁରୁଷ ସହିତ
ବଡ ବଡ ବୈଜ୍ଞାନିକ,
ଜନ୍ମ ଦେଇଛୁ କେତେ ଯେ ବୀରଙ୍କୁ
ରଖିଛୁ ତୋରି ଟେକ II
ତୋ ରାଷ୍ଟ୍ର ସଂଗୀତ ଅଟଇ ଅମୃତ
ଅଟଇ କେଡେ ମଧୁର,
ରାଷ୍ଟ୍ର ଧ୍ବଜା ତୋର ଦିଅଇ ବାରତା
ଶାନ୍ତି ପ୍ରୀତି ମୈତ୍ରୀର II
ତୋହରି କୋଳରେ ମୋର ଜନମ
କେଡେ ଭାଗ୍ୟବତୀ ମୁଁହିଁ,
ତୋ ଗୁଣ ମୁଁ କି ବର୍ଣ୍ଣିବି ମା' ଲୋ
ସକଳ ଆଧାର ତୁହି II
ସ୍ୱର୍ଗ ଠାରୁ ବଡ ପବିତ୍ର ସୁନ୍ଦର
ଜନନୀ ଜନ୍ମ ଭୂମି ,
ତୋ ପଣତରେ ଘୋଡେଇ ରଖିବୁ
ପାଦକୁ ଦେବି ତୋ ଚୁମି II
ନମାମି ଭାରତୀ ତୁହି ଆମ କୀର୍ତ୍ତି
ତୁହି ଆମ ପରିଚୟ,
ତୁହି ଆମ ଶକ୍ତି ତୁହି ଆମ ପ୍ରୀତି
ସଦା ହେଉ ତୋର ଜୟ II
ହେ ମା'ଭାରତୀ ଘେନ ମୋ ପ୍ରଣତି
ଆଶିଷ ଦିଅ ଜନନୀ,
ତୋର ସେବା କରି ପ୍ରାଣ ଚାଲି ଯାଉ
ଏହି ମୋ ଶେଷ ମାଗୁଣି II
ସସ୍ମିତା ସାହୁ
ନାଶିକ, ମହାରାଷ୍ଟ୍ର
0 Comments
You can write now your valuable comments here. Off-topic comments may be removed or deleted without prior notice.