
ନଜାଣ କି ଶୂନ୍ୟ ଦେହି ହେ ଅଲେଖ ନିରଞ୍ଜନ
ଏ ପଞ୍ଚଭୂତ ଶରୀରେ ତୁମେ ତ ପ୍ରାଣ ପବନ
ଆବୋରି ବସିଛ ସିନା ତୁମେ ଏ ତିନି ଭୂବନ
ଜାଣି ଅଜଣା ହୋଇଲେ କି କରିବ ଏ ଅଧମ ।।
ତୁମ ନାମେ ଉଡେ ବିଶ୍ଵେ ବାନା ପତିତପାବନ
ଯାହାର ଆସନ ପକ୍ଷୀବର ବିନତା ନନ୍ଦନ
ଜଗତେ ବିଦିତ ତୁମ ବଡ଼ ସାଆନ୍ତିଆ ପଣ
ତୁମ ସୁକ୍ଷ୍ମ ସରଜନା ପରା ଅକ୍ଷୀଳ ଭୂବନ
ଜାଣି ଅଜଣା ହୋଇଲେ କି କରିବ ଏ ଅଧମ ।।
ଅନନ୍ତ ମଙ୍ଗଳମୟ କୋଟି ଜଗତ ଜୀବନ
ଦୁଃଖୀ ର ସଙ୍ଗାତ ତୁମେ ପଦ୍ମାଳୟା ପ୍ରାଣଧନ
ଆରତୀ ଆରତ ହର୍ତ୍ତା ଅଟ ତୁମେ ଆର୍ତ୍ତତ୍ରାଣ
ତେଣୁ ଗୋବିନ୍ଦବିନ୍ଦ ରଖିଗଲେ ତୁମ ନାମ
ଜାଣି ଅଜଣା ହୋଇଲେ କି କରିବ ଏ ଅଧମ ।।
ପ୍ରାଣ ପକ୍ଷୀ ଯିବଉଡି କାଳ ଦେଲାଣି ସମନ
ଜୀବନ ର ଶେଷ ଦୃଶ୍ୟ କରିବି ତୁମ ଦର୍ଶନ
ମାଗିବି, ଦେଖିବି ପାପ ମୁକ୍ତି ସୁନ୍ଦର ଭୂବନ
ସୁଖ, ଶାନ୍ତି,ସ୍ନେହ,ପ୍ରେମ ଯହିଁ ଥିବ ବିଦ୍ୟମାନ
ଜାଣି ଅଜଣା ହୋଇଲେ କି କରିବ ଏ ଅଧମ ।।
ନାମ ଚରିତାର୍ଥ ପାଇଁ ହେ ଈଶ୍ଵର ପରଂବ୍ରହ୍ମ
ଦାରୁ ଭୁତ ରୂପ ତେଜ୍ୟା କର କର ଭଗବାନ
ଅବ୍ୟକ୍ତ,ଅରୂପ, ଶୂନ୍ୟ ଦେହି ସତ୍ୟ ସନାତନ
ପ୍ରଫୁଲ୍ଲ ଆତୁରେ ଡାକଇ ଶୁଣ ମୋ କଦନ
ଜାଣି ଅଜଣା ହୋଇଲେ କି କରିବ ଏ ଅଧମ ।।
ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା
0 Comments
You can write now your valuable comments here. Off-topic comments may be removed or deleted without prior notice.