
ତୁମେ ଦୀପ ମୁଁ ଦୀପ ତୁମେ ଜଳ ମୁଁ ବିତ ଜଳେ
ସଳିତା ଜଳଇ ତୁମ ହୃଦୟ ମୋ' ଜଳେ ଅହରହ,
ତୁମେ ସାଜ ଦେଉଳରେ ମୁଁ ସାଜେ ମୋ'ଦୁନିଆ ଦେଉଳେ
ତୁମେ ତ ମାଟିରେ ଗଢା ତୁମପରି ମାଟି ମୋ'ର ଦେହ ।
ହେଉ ଦିନ ହେଉ ରାତି ଜଳିବାରେ ଆନନ୍ଦ ତୁମରି
ତୁମ ଜ୍ୟୋତି ଦିବ୍ୟଜ୍ୟୋତି ସାକ୍ଷୀ ତୁମେ ଦିବ୍ୟ ମିଳନର,
ମୋ'ର ବି ଆନନ୍ଦ ମୋତେ ଜାଳିବାକୁ ତିଳତିଳ କରି
ଯେଣୁ ମୁଁ ପ୍ରତୀକ ଏକ ମୂର୍ତ୍ତିମନ୍ତ ମହା ଜ୍ବଳନର ।
ଯୁଗେଯୁଗେ ସ୍ବପ୍ନ ତୁମ ନାଶିବାକୁ ତମସ ରାତିର
ଜାଣିଛି ମୁଁ ତୁମେ ଏକ ନିରଳସ ନୀରବ ଭାବୁକ,
ମୋ' ସ୍ବପ୍ନ ତମିସ୍ରା ହଟୁ ଜୀବନରୁ ମଣିଷ ଜାତିର
ପାଖଣ୍ଡ ଲାଗି ମୋ' ଶବ୍ଦ ଚେତନାର ଚଞ୍ଚଳ ଚାବୁକ ।
ତୁମରି ସାନ୍ନିଧ୍ୟ ଲାଗି ମୋ' ଚିନ୍ତାରେ ହସେ ଚିତ୍ରଲେଖା
ହେ ମୋ'ର ମାଟିରଦୀପ ତୁମଶିଖା ମୋ' ଅଦୃଷ୍ଟରେଖା ।
ନିଶିକାନ୍ତ କହଲସିଂହ
ଲୋକିପୁର, ଗଡ଼ମାଣତୀର, ଖୋର୍ଦ୍ଧା-୭୫୨୦୬୨
0 Comments
You can write now your valuable comments here. Off-topic comments may be removed or deleted without prior notice.